କନକ ବ୍ୟୁରୋ : କଳିଙ୍ଗ ଷ୍ଟାଡିୟମରେ ଶନିବାର ଓ ରବିବାର ଦୁଇ ଦିନ ଧରି ଭାରତର ପ୍ରଥମ କ୍ରୀଡ଼ା ଏବଂ ଉଦ୍ଭାବନ ମହୋତ୍ସବ ଆୟୋଜିତ ହେବ। ଜାଭିୟର ଏମଲିୟନ ବାଣିଜ୍ୟ ବିଦ୍ୟାଳୟ (ଏକ୍ସଇବିଏସ୍) ଏବଂ ରାଜ୍ୟ କ୍ରୀଡ଼ା ଓ ଯୁବ ସେବା ବିଭାଗ ମିଳିତ ଭାବେ ଏହି ନିଆରା କ୍ରୀଡ଼ା ମହୋତ୍ସବର ଆୟୋଜନ କରିବେ। ଯାହାର ନାଁ ‘ସ୍ପୋର୍ଟଇଟ୍’ ରଖାଯାଇଛି। କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଭାରତ-ନେଦରଲାଣ୍ଡ୍ସ ହକି ପ୍ରୋ ଲିଗ୍ ମ୍ୟାଚ୍ ସହ ସମାନ୍ତରାଳ ଭାବେ ଏହି ମହୋତ୍ସବ ଆୟୋଜିତ ହେବ। ସ୍ପୋର୍ଟସ ହକାଥଲନ, ସ୍ପୋର୍ଟସ ଷ୍ଟାର୍ଟଅପ୍ ଭିଲେଜ୍ ଓ ସ୍ପୋର୍ଟସ ମାରାଥନ ଭଳି ତିନିଟି ବର୍ଗରେ ଆୟୋଜିତ ହେବ ‘ସ୍ପୋର୍ଟଇଟ୍’। ସ୍ପୋର୍ଟସ ହକାଥନକୁ ଷ୍ଟାର୍ଟ ଅପ୍ ଓଡ଼ିଶା ଏବଂ ୟୁରୋପର ସର୍ବବୃହତ୍ କ୍ରୀଡ଼ା ଓ ଉଦ୍ଭାବନ ମହୋତ୍ସବ ସ୍ପୋର୍ଟସ ଅନଲିମିଟେକ୍ ଆୟୋଜନ କରିବେ।
ଏଥିରେ ଫ୍ରାନ୍ସର ୧୦ ଜଣ ଛାତ୍ରଛାତ୍ରୀ ମଧ୍ୟ ଅଂଶଗ୍ରହଣ କରିବେ। ସ୍ପୋର୍ଟସ ଷ୍ଟାର୍ଟଅପ୍ ଭିଲେଜରେ ସାରା ଭାରତର ୧୨ କ୍ରୀଡ଼ା ଷ୍ଟାର୍ଟଅପ୍ କଂପାନି ଯୋଗଦେବେ। ଶ୍ରେଷ୍ଠ ଷ୍ଟାର୍ଟଅପ୍କୁ ଏକ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯିବ। ସେହିଭଳି ସ୍ପୋର୍ଟସ ମାରାଥନରେ ୩,୦୦୦ରୁ ଅଧିକ ଛାତ୍ରଛାତ୍ରୀ ତଥା ସାଧାରଣ ଜନତାଙ୍କୁ ଫୁଟବଲ, ହକି, ଟେବୁଲ ଟେନିସ୍, ବାସ୍କେଟବଲ୍, କରାଟେ ଆଦି ଖେଳର ଶିକ୍ଷା ଦିଆଯିବ। ପ୍ରଥମ ଥର ପାଇଁ କଳିଙ୍ଗ ଷ୍ଟାଡିୟମରେ ଥିବା ହାଇପର୍ଫମାନ୍ସ ସେଣ୍ଟର ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଭିତ୍ତିଭୂମି ବୁଲି ଦେଖିବାର ସୁଯୋଗ ଦେବ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାର ଉଦଘାଟନ କରିବା ସହ ଉଦ୍ୟାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେବେ। ସାଧାରଣ ଜନତା ଶନିବାର ପୂର୍ବାହ୍ନ ୯ଟା ୩୦ରୁ ୪ଟା ୩୦ ଏବଂ ରବିବାର ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମହୋତ୍ସବର ମଜା ନେଇପାରିବେ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2017/11/30oriKALINGA1.jpg)