ଶିଳ୍ପ ଦେଉଛି ଶାସ୍ତି ! ପ୍ରଦୂଷଣ ବଳୟରେ କଳିଙ୍ଗନଗର । ସଙ୍କଟ ଆଣିଲା ଶିଳ୍ପକୁ ଆଦରି ନେବା…

93

କନକ ବ୍ୟୁରୋ: ଦିନେ ବିକାଶର ସ୍ୱପ୍ନ ଦେଖି, ଶିଳ୍ପକୁ ସ୍ୱାଗତ କରିଥିଲେ । ଭାବିଥିଲେ ଅଞ୍ଚଳର ଉନ୍ନତି ହେବ, ଲୋକଙ୍କର ଉନ୍ନତି ହେବ । ତାସହ ସ୍ଥାନୀୟ ଯୁବକଙ୍କ ସହ ଲୋକଙ୍କୁ ମିଳିବ ନିଯୁକ୍ତି । ରୋଜଗାରକ୍ଷମ ହେବେ ବେରୋଜଗାର ବ୍ୟକ୍ତି । ଏମିକି କିଛି ଆଶା ନେଇ ଦିନେ ଯେଉଁଥିରେ ସହମତି ପ୍ରକାଶ କରିଥିଲେ ତାହା ଆଜି ସମସ୍ୟା ସୃଷ୍ଟି କରିଛି । ଶିଳ୍ପର ଆଶା ସ୍ଥାନୀୟ ଲୋକଙ୍କ ପାଇଁ ଅଭିଶାପ ପାଲଟିଛି ଆଉ ହଇରାଣ ହୋଇ ବିଷ ବଳୟ ଭିତରେ ଜୀବନ କାଟୁଛନ୍ତି ଶିଳ୍ପାଞ୍ଚଳବାସୀ ।

ପ୍ରଦୂଷଣର ବିଷ ବଳୟରେ ଅସ୍ତବ୍ୟସ୍ତ ଜୀବନ । ନା ବଞ୍ଚିବା ସହଜ ହେଉଛି ନା ନିଶ୍ୱାସ ନେବା ସହଜ ହେଉଛି । ଏଠି ପାଣି, ପବନ, ମାଟି ବି ଶିଳ୍ପର ଶାସ୍ତିକୁ ସହୁଛି । ଆଉ ମଣିଷ ତ ମରିମରି ବଞ୍ଚୁଛନ୍ତି ଲୋକେ । ଅହରହ ଧୂଳି ଧୂଆଁ ପାଇଁ ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି । ବିଷାକ୍ତ ଧୂଆଁ, କଳକାରଖାନାର ବିଷାକ୍ତ ଜଳ ପାଇଁ ଫସଲ ନଷ୍ଟ ହେଉଥିବା ବେଳେ ବିଭିନ୍ନ ରୋଗରେ ପୀଡିର ହେଉଛନ୍ତି ଲୋକେ । ବାୟୁ ପ୍ରଦୂଷଣ ଯୋଗୁଁ ସ୍ଥାନୀୟ ଲୋକମାନେ କିଡନି, ଟିବି, କାଶ ଓ ଚର୍ମରୋଗ ଆଦିର ଶୀକାର ହେଉଛନ୍ତି । ଅନେକ ଜୀବନ ବି ଗଲାଣି ଏହି ପରିବେଶ ପ୍ରଦୂଷଣ ପାଇଁ ।

ଶିଳ୍ପର ରାଜଧାନୀ କୁହାଯାଉଥିବା ଯାଜପୁରର କଳିଙ୍ଗନଗର ଏବେ କଷ୍ଟରେ ଦିନ କାଟୁଛି । କାରଣ ଶିଳ୍ପକୁ ଆଦରି ନେଇଥିବା ଲୋକଙ୍କ ଜୀବନ ଆଜି ସଙ୍କଟରେ ପଡିଛି । ଏନଜିଟିଙ୍କ ତତ୍ୱାବଧାନରେ ନେସନାଲ କ୍ଲିନ ଏୟାର ପ୍ରୋଗ୍ରାମ ଓ କେନ୍ଦ୍ରୀୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ ମିଳିତ ଉଦ୍ୟମରେ ସାରା ଭାରତରେ ବାୟୂ ପ୍ରଦୂଷଣର ପରୀକ୍ଷା କରିଥିଲା । ଯେଉଁଥିରେ ଦେଶର ୧୦୦ ପ୍ରଦୂଷିତ ସହର ମଧ୍ୟରେ କଳିଙ୍ଗ ନଗର ୮୨ତମ ସ୍ଥାନ ଅଧିକାର କରିଛି । କାରଖାନା ମାନେ ବର୍ଜ୍ୟ ଜଳ ବାହାରକୁ ଛାଡୁଛନ୍ତି । ଫଳରେ ଗଣ୍ଡାନାଳ. ଡମଶାଳା ,ଖରସ୍ରୋତା ଅଧିକ ପ୍ରଦୂଷିତ ହେଉଛି । ଯଥାଶୀଘ୍ର ସରକାରଙ୍କ ଦ୍ୱାରା ଏଭଳି ପ୍ରଦୂଷଣକୁ ତୁରନ୍ତ ନିୟନ୍ତ୍ରଣ କରାନଗଲେ ଆଗାମୀ ଦିନରେ ପରିସ୍ଥିତି ଭୟାବହ ହେବ ବୋଲି ପରିବେଶପ୍ରେମୀ ରଖିଛନ୍ତି ।

ତେବେ ଯଦି ଶିଳ୍ପର ସ୍ୱାର୍ଥ ପାଇଁ ସୁବିଧା ପାଇଁ ଆମେ ପରିବେଶ, ପ୍ରକୃତିକୁ ପ୍ରଦୂଷଣର ବିଷ ବଳୟ ଭିତରକୁ ଠେଲିଦେବା ତାହାଲେ ଜଳବାୟୁ ପରିବର୍ତ୍ତନ ଫଳରେ ପରିବେଶ ସନ୍ତୁଳନ ହରାଇବ । ଆଉ ପରିସ୍ଥିତି ଭୟାବହ ହେବ । ତେବେ ଆସନ୍ତୁ ସମ୍ବାଦ ଡିଜିଟାଲର ପୁନଶ୍ଚ ପୃଥିବୀ ଅଭିଯାନରେ ସାମିଲ ହୋଇ ନିଜ ଜୀବନ, ଜୀବୀକାକୁ ରକ୍ଷା କରିବା ସହ ସୁନ୍ଦର ପରିବେଶ ପାଇଁ ପ୍ରଚେଷ୍ଟା କରିବା । ଯାହା ଆମ ପରପିଢି ପାଇଁ ବରଦାନ ହେବ ।