କଳିଙ୍ଗ ପୁସ୍ତକମେଳା ଉଦ୍‌ଘାଟିତ : ପୁସ୍ତକ ପ୍ରକାଶନରେ ଜିଏସ୍‌ଟି ସାଜିଛି ବାଧକ

Advertisment
କଳିଙ୍ଗ ପୁସ୍ତକମେଳା ଉଦ୍‌ଘାଟିତ : ପୁସ୍ତକ ପ୍ରକାଶନରେ ଜିଏସ୍‌ଟି ସାଜିଛି ବାଧକ

SOURCE- SAMBAD.IN

କନକ ବ୍ୟୁରୋ : ପୃଥିବୀରେ ଯେତେ ବିପ୍ଳବ ହୋଇଛି, ତା’ ମଧ୍ୟରେ ପୁସ୍ତକ ବିପ୍ଳବ ଗୁରୁତ୍ୱପୂର୍ଣ୍ଣ। ମୁଦ୍ରଣ ଯନ୍ତ୍ର ଆସିବା ପରେ ପୁସ୍ତକର ପରିବ୍ୟାପ୍ତି ବଢ଼ିଲା। ଆମ ପୂର୍ବପୁରୁଷମାନେ ପୋଥି ପଢ଼ୁଥିଲେ, ମୁଦ୍ରଣଯନ୍ତ୍ର ଆସିବା ପରେ ଆମେ ପୁସ୍ତକ ପଢ଼ିବାର ସୁଯୋଗ ପାଇଲୁ। କିନ୍ତୁ ବର୍ତମାନ ପୁସ୍ତକ ଛପାଇବା କଷ୍ଟସାଧ୍ୟ ହୋଇପଡ଼ିଛି। ଏଥିନେଇ ଲେଖକ, ପ୍ରକାଶକ ସମସ୍ତେ ସଙ୍କଟରେ। ଜିଏସ୍‌ଟି ଲାଗୁ ପରେ ଲେଖକମାନେ କମ୍‌ ରୟାଲିଟି ପାଉଥିବା ବେଳେ, ପ୍ରକାଶକମାନେ ଅଧିକ ଟ୍ୟାକ୍ସ ପାଇଁ ପୁସ୍ତକ ଛପାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଜିଏସ୍‌ଟି ପୁସ୍ତକ ପ୍ରକାଶନରେ ବାଧକ ସାଜିଛି।  ୨୦ତମ କଳିଙ୍ଗ ପୁସ୍ତକ ମେଳାରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଯୋଗଦେଇ ଏପରି ମତ ପ୍ରକାଶ କରିଛନ୍ତି।

ଅଧ୍ୟାପକ ବିଶ୍ୱରଞ୍ଜନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉଦ୍‌ଘାଟନୀ ସଭାରେ ସମ୍ମାନିତ ଅତିଥି ଭାବେ ବିଶିଷ୍ଟ କବି ରମାକାନ୍ତ ରଥ ଯୋଗଦେଇ କହିଲେ, ବର୍ତମାନ ବହି ସଙ୍କଟ ଦେଇ ଗତି କରୁଛି। ସରକାର ଅନ୍ୟାନ୍ୟ ଶିଳ୍ପ ପାଇଁ ପ୍ରୋତ୍ସାହନ ଦେଉଥିବା ବେଳେ ପୁସ୍ତକ ପ୍ରକାଶନ ଓ ଦୋକାନ କରିବା ପାଇଁ କୌଣସି ବ୍ୟବସ୍ଥା କରୁନାହାନ୍ତି। ପୁସ୍ତକ ଦୋକାନ ସଂଖ୍ୟା ହ୍ରାସ ପାଉଥିବା ବେଳେ ସୁନାଗହଣା, ପୋଷାକପତ୍ର ଆଦି ଦୋକାନ ସଂଖ୍ୟା ବଢ଼ିଚାଲିଛି। ଭାଷା, ପୁସ୍ତକ ଗୋଟିଏ ଜାତିର ଅସ୍ମିତାର ପରିଚୟ, ଏଥିନେଇ ସମସ୍ତେ ଚିନ୍ତନ କରିବାର ଆବଶ୍ୟକତା ରହିଛି।

ଅନ୍ୟତମ ସମ୍ମାନିତ ଅତିଥି ‘ନାଇଜର୍‌’ର କୁଳସଚିବ ଡ. ଅଭୟ ନାୟକ ପୁସ୍ତକ ଅଧ୍ୟୟନର ମହତ୍ତ୍ୱ ସଂପର୍କରେ ବକ୍ତବ୍ୟ ରଖିଥିଲେ। ବିଧାୟକ ପ୍ରିୟଦର୍ଶୀ ମିଶ୍ର କହିଲେ, ପୁସ୍ତକ ବଢ଼ିବାର ଅଭ୍ୟାସ ବ୍ୟକ୍ତିକୁ ଜୀବନରେ ବଡ଼ ମଣିଷ କରିଥାଏ। ବର୍ତମାନ ଓଡ଼ିଆ ଭାଷା, ସାହିତ୍ୟ ସଙ୍କଟରେ। ଓଡ଼ିଆରେ ଲିଖିତ, ଅନୁଦିତ ପୁସ୍ତକ ଘରେ ଘରେ ପହଞ୍ଚିବାର ଆବଶ୍ୟକତା ରହିଛି। ମେୟର ଅନନ୍ତ ନାରାୟଣ ଜେନା ପ୍ରତ୍ୟେକ ବ୍ୟକ୍ତି ପୁସ୍ତକ ପଢ଼ିବା ଦରକାର ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ପୁସ୍ତକମେଳା ମଞ୍ଚରେ ଆଶାଲତା ପଣ୍ଡାଙ୍କ ପୁସ୍ତକ ‘କ୍ଲାନ୍ତ ଗୋଧୂଳି’କୁ ଅତିଥିଗଣ ଲୋକାର୍ପିତ କରିଥିଲେ। ମେଳା କମିଟି ସମ୍ପାଦିକା ରେଣୁକା ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଚମକ ଚାନ୍ଦିନୀ ଦାଶ ଅତିଥି ପରିଚୟ ଦେଇଥିଲେ। ଉପସ୍ଥାପିକା ମଧୁମିତା ମହାନ୍ତି ସଭା ସଂଯୋଜନା କରିଥିଲେ। ଉପସଭାପତି ଅଞ୍ଜଳି ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ। ଛନ୍ଦା ମିଶ୍ର ସ୍ୱାଗତ ସଙ୍ଗୀତ ଏବଂ ପୁଷ୍ପିତା ମିଶ୍ର ଓ ସାଥୀ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ।

ଚଳିତ ବର୍ଷ ଏହି ପୁସ୍ତକମେଳାରେ ୨୦୦ଷ୍ଟଲ ହୋଇଥିବା ବେଳେ ଓଡ଼ିଶା ସମେତ ଅନ୍ୟାନ୍ୟ ରାଜ୍ୟରୁ ପୁସ୍ତକ ପ୍ରକାଶକମାନେ ଅଂଶଗ୍ରହଣ କରିଛନ୍ତି। ଆସନ୍ତା ନଭେମ୍ବର ୫ତାରିଖ ପର୍ଯ୍ୟନ୍ତ ଏହି ମେଳା ଅନୁଷ୍ଠିତ ହେବ। ପ୍ରତ୍ୟେକ ସନ୍ଧ୍ୟାରେ ପୁସ୍ତକ ଉନ୍ମୋଚନ ସହ କବିତା ପାଠ ଉତ୍ସବ, ସାହିତ୍ୟ ଆଲୋଚନା ଆଦି ଅନୁଷ୍ଠିତ ହେବ। ଏଥିସହ ସବୁଦିନ ଅପରାହ୍‌ଣ ୪ଟାରେ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତା କରାଯିବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe