ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ବିକ୍ରି କରିବା ପଡ଼ିଲା ମହଙ୍ଗା : କାଲିମେଳା ଆଶ୍ରମ ସ୍କୁଲ ପ୍ରଧାନ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ

ଅନ୍ୟ ୨ଜଣ ବି ଗିରଫ

135

କନକ ବ୍ୟୁରୋ : ପିଲାଙ୍କ ମଧ୍ୟାହ୍ନ ଭୋଜନ ଚାଉଳ ଚୋରି କରି ବାହାରେ ବିକ୍ରି କରିବା ପଡ଼ିଲା ମହଙ୍ଗା । କାଲିମେଳା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ସମେତ ୩ ଗିରଫ । ସମସ୍ତଙ୍କୁ କୋର୍ଟ ଚାଲାଣ କରିଛି କାଲିମେଳା ପୁଲିସ । ବିଦ୍ୟାଳୟର ରେଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକ ଦୁଇଟି ବାଇକରେ ୩ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳ କାଲିମେଳା ବଜାରରେ ବିକ୍ରି କରିବାକୁ ନେଉଥିବାବେଳେ ଧରାପଡ଼ିଥିଲେ ।

ଏହି ଖବର ଜଣାପଡ଼ିବାପରେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ କାଲିମେଳା ବ୍ଲକ ମଂଗଳ ସଂପ୍ରସାରଣ ଅଧିକାରୀ ଭରତ ଗୁରୁ କାଲିମେଳା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ପରେ ପୁଲିସ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମାକାନ୍ତ ବେହେରାଙ୍କ ସମେତ ରୋଷେୟା ସୁରେନ୍ଦ୍ର ମାଢ଼ି ଓ ହରି ବଡ଼ନାୟକକୁ ଗିରଫ କରିଛି । ଏଥି ସହିତ ଏକ ବାଇକ ଓ ୩ ବସ୍ତା ମଧ୍ୟାହ୍ନ ଭୋଜନ ଚାଉଳକୁ ମଧ୍ୟ ପୁଲିସ ଜବତ କରିଛି । ପ୍ରଧାନଶିକ୍ଷକ ସେମାନଙ୍କୁ ଏହି ଚାଉଳ ବାହାରେ ବିକ୍ରି କରିବାକୁ ବାଧ୍ୟ କରିଥିଲେ ବୋଲି ରୋଷେୟା ପୁଲିସ ନିକଟରେ ସ୍ୱୀକାର କରିଛି ।

ଏଥି ସହିତ ପ୍ରଧାନଶିକ୍ଷକଙ୍କ କଥା ନଶୁଣିଲେ ସେ ଚାକିରିରୁ ବାହାର କରିଦେବାକୁ ମଧ୍ୟ ଧମକ ଦେଉଥିଲେ ବୋଲି ରୋଷେୟା ସୁରେନ୍ଦ୍ର ମାଢ଼ି ଅଭିଯୋଗ କରିଛନ୍ତି । ଲକଡ଼ାଉନ ସମୟରେ ସ୍କୁଲ ବନ୍ଦ ଥିଲେ ମଧ୍ୟ ସରକାର ପ୍ରତ୍ୟେକ ଛାତ୍ରଛାତ୍ରୀମାନଙ୍କ ପାଇଁ ମଧ୍ୟାହ ଚାଉଳର ବ୍ୟବସ୍ଥା କରିଥିଲେ । କିନ୍ତୁ ପ୍ରଧାନଶିକ୍ଷକ ପିଲାମାନଙ୍କୁ ଚାଉଳ ନଦେଇ ବାହାରେ ବିକ୍ରୀ କରି ପକେଟ ଗରମ କରୁଥିବା ଜଣାପଡ଼ିଛି । ତେଣୁ ଏହି ଘଟଣାର ପ୍ରକୃତ ତଦନ୍ତ କରାଯିବା ଆବଶ୍ୟକ ବୋଲି ଗ୍ରାମବାସୀ ଦାବି କରିଛନ୍ତି ।