ଚାଷୀଙ୍କ ପାଖରେ ଅଛି ଟୋକନ । ହେଲେ ଟାର୍ଗେଟ ପୂରଣ କହି ମଣ୍ଡି ବନ୍ଦ ପାଇଁ ପ୍ରଶାସନର ନିଷ୍ପତି । ପ୍ରତିବାଦରେ କାଲିମେଳାରେ ରାସ୍ତାରୋକ । 

88

କନକ ବ୍ୟୁରୋ : ଚାଷୀଙ୍କ ପାଖରେ ଟୋକନ୍ ଅଛି, ଧାନ କିଣା ହୋଇନି । ହେଲେ ମଣ୍ଡି ବନ୍ଦ ହୋଇଯାଇଛି । ମାଲକାନଗିରି କାଲିମେଳା ଅଂଚଳର ପ୍ରାୟ ୫୦ ପ୍ରତିଶତ ଚାଷୀ, ଟୋକନ୍ ଥିବା ସତ୍ୱେ ଧାନ ବିକ୍ରି କରିପାରିନଥିବା ଅଭିଯୋଗ କରିଛନ୍ତି । ଗତ ନଭେମ୍ବର ୩୦ ତାରିଖରୁ କାଲିମେଳା ଅଂଚଳରେ ଆରମ୍ଭ ହୋଇଥିବା ଧାନ ସଂଗ୍ରହ ଅଭିଯୋଗ ଆଜିଠାରୁ ବନ୍ଦ ରହିଛି । କିନ୍ତୁ ବିଭିନ୍ନ ମଣ୍ଡି ଓ ଚାଷୀଙ୍କ ଘରେ ବିପୁଳ ପରିମାଣରେ ଧାନ ଗଚ୍ଛିତ ରହିଛି । ଏଭଳି ସ୍ଥିତିରେ ମଣ୍ଡି ବନ୍ଦ ନିଷ୍ପତିକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ ।

ଏହି ନାରାବାଜି, ପ୍ରତିବାଦ ଓ ରାସ୍ତାରୋକ୍ ପଛରେ ରହିଛି ଚାଷୀ ଅସନ୍ତୋଷ । ଧାନ କିଣାରେ ଅବ୍ୟବସ୍ଥା ଓ ଚାଷୀ ଧାନ ବିକ୍ରି କରିବା ପୂର୍ବରୁ ମଣ୍ଡି ବନ୍ଦ ପ୍ରତିବାଦରେ କାଲିମେଳା-ମାଲକାନଗିରି ରାସ୍ତା ଅବରୋଧ କରିଛନ୍ତି ଚାଷୀ । ଚାଷୀଙ୍କ ଅଭିଯୋଗ, ଏବେ ବି, ମଣ୍ଡି ଓ ଘରେ ଧାନ କଚ୍ଛିତ ହୋଇ ରହିଥିବା ବେଳେ ଟାର୍ଗେଟ୍ ପୁରଣ ହୋଇଯାଇଛି କହି, ମଣ୍ଡିକୁ ବନ୍ଦ କରି ଦିଆଯାଇଛି । ଏମିତି କି ଚାଷୀଙ୍କ ପାଖରେ ଧାନ ବିକ୍ରି ପାଇଁ ଟୋକନ୍ ଥିବା ବେଳେ ମଣ୍ଡି ବନ୍ଦ ହୋଇଯାଇଥିବା ଅଭିଯୋଗ କରିଛନ୍ତି ।

ଚାଷୀଙ୍କ ଏହି ଆନ୍ଦୋଳନରେ କଂଗ୍ରେସ ନେତା ପ୍ରଦୀପ ମାଝୀ ସାମିଲ ହୋଇ, ପ୍ରଶାସନର ଧାନ କିଣା ନୀତିକୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି- ପାଖାପାଖି ୫ ଲକ୍ଷ କ୍ୱିଂଟାଲ ଧାନ ବିଭିନ୍ନ ମଣ୍ଡି ଓ ଚାଷୀଙ୍କ ଘରେ ପଡ଼ି ରହିଛି । ପ୍ରାୟ ୧୫ ହଜାର ୫ଶହ ଟୋକାନ୍ ମଧ୍ୟ ଇସ୍ୟୁ ହୋଇଛି । ଆଉ ଏହାରି ଭିତରେ ମଣ୍ଡି ବନ୍ଦ ନିଷ୍ପତିକୁ ବିରୋଧ କରିଛନ୍ତି କଂଗ୍ରେସ ନେତା ପ୍ରଦୀପ ମାଝି ।

ଏଠି ପ୍ରଶ୍ନ ଉଠୁଛି- ଟୋକନ୍ ପାଇଥିବା ଚାଷୀ ଧାନ ବିକି ନଥିବା ବେଳେ ଟାର୍ଗେଟ୍ ପୂରଣ ହେଲା କେମିତି? ଏବେ ବି ପ୍ରାୟ ୫୦% ଟୋକନଧାରୀ ଚାଷୀଙ୍କ ଧାନ କିଣାଯାଇନାହିଁ କାହିଁକି? ଚାଷୀଙ୍କ ପାଖରେ ଥିବା ବଳକା ଧାନ ରହିଛି, ସେହି ଚାଷୀମାନେ ଧାନ ବିକିବେ କେଉଁଠି?

ମାଲକାନଗିରି କାଲିମେଳା ଅଂଚଳରେ ଚାଷୀ ଧାନ ବିକ୍ରି କରିବାକୁ ପ୍ରତିବାଦ କରୁଥିବା ବେଳେ ଗଂଜାମ ସାନଖେମୁଣ୍ଡିରେ ଧାନ ଖଳାରେ ଜଳି ଯାଇଛି, ଚାଷୀର ଗୋଟିଏ ବର୍ଷର ପରିଶ୍ରମ । ସାନଖେମୁଣ୍ଡି ପାଟପୁର ଗାଁରେ ଖଳାରେ ହିଁ ଜଳି ଯାଇଛି କ୍ୱିଂଟାଲ କ୍ୱିଂଟାଲ ଧାନ । ପ୍ରାୟ ୧୨ ଏକର ଜମିରୁ ରବି ସ୍ୱାଇଁ ଅମଳ କରିଥିବା ଧାନ ଜଳିପୋଡ଼ି ନଷ୍ଟ ହୋଇଯାଇଛି । ନିଆଁ ଲାଗିବାର ସଠିକ୍ କାରଣ ଜଣାପଡ଼ିନଥିବା ବେଳେ ସର୍ଟ ସର୍କିଟରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଶେଷରେ ଦିଗପହଣ୍ଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ନିଆଁକୁ ଆୟତ କରିଛନ୍ତି  ।