କନକ ବ୍ୟୁରୋ : ନୂଆଖାଇ ଅବସରରେ ଆସନ୍ତା ୧୧ ତାରିଖରେ ଚାଷୀମାନଙ୍କୁ ‘କାଳିଆ’ ଯୋଜନାରେ ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍ଫରେନ୍ସିଂ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭାରମ୍ଭ କରିବେ । ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଯିବ ।
ସୂଚନାଯୋଗ୍ୟ ଯେ ଉତ୍କଳ ଦିବସ ଅବସରରେ ଗତ ଏପ୍ରିଲ୍ ୧ ତାରିଖରେ ଚାଷୀମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା । ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପଠାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଇ କହିଥିଲେ, ଚାଷୀର ତ୍ୟାଗ ଓ ସ୍ୱାଭିମାନ ହିଁ ଆଜି ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଏହାସହ ମୁଁ ସବୁବେଳେ ଚାଷୀ ଭାଇଭଉଣୀମାନଙ୍କ ସହ ରହିଛି । ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ , ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିବ ।
ତେବେ, କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୩୬ ଲକ୍ଷ ୯୮ ହଜାର ୧୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୮୯ ହଜାର ୧୦୩ ଜଣ ଭୂମିହୀନ କୃଷକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ହିତାଧିକାରୀଙ୍କ ମଧ୍ୟରେ ମୋଟ୍ ୫୭,୬୧୪ ଜଣ ଭାଗଚାଷୀ ପରିବାର ଅଛନ୍ତି । ଗଞ୍ଜାମରେ ସର୍ବାଧିକ ୧୪,୫୩୧ ଓ ଦେବଗଡ଼ରେ ସର୍ବନିମ୍ନ ୫୦ ଜଣ ଭାଗଚାଷୀ ପରିବାର ସହାୟତା ପାଇଛନ୍ତି । ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି ।