ନୂଆଁଖାଇରେ ଆସିଲା କାଳିଆ ଟଙ୍କା । ୩୭ ଲକ୍ଷ ଚାଷୀ ପରିବାରର ବ୍ୟାଙ୍କ ଆକାଉଣ୍ଟକୁ ଗଲା ୭୪୩ କୋଟି ।

କୋଭିଡ ମହାମାରୀ ଆରମ୍ଭ ଠାରୁ ଆଜି ପର୍ଯ୍ୟନ୍ତ କାଳିଆ ଯୋଜନାରେ ୩୨୦୦ କୋଟିରୁ ଅଧିକ ଟଙ୍କା ସହାୟତା ପ୍ରଦାନ

790

କନକ ବ୍ୟୁରୋ: ଆସିଲା କାଳିଆ ଟଙ୍କା ।  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୭,୧୨,୯୧୪ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ପରିବାରଙ୍କୁ ରବି ଫସଲ ପାଇଁ କାଳିଆ ଯୋଜନାରେ ୭୪୨.୫୮ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏହି ସହାୟତାରେ  ସମସ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ୨୦୦୦ ଟଙ୍କା ଲେଖାଏଁ ଜମା କରାଯାଇଛି ।

ପବିତ୍ର ନୂଆଁଖାଇ ଅବସରରେ ଚାଷୀମାନଙ୍କୁ କାଳିଆ ସହାୟତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଚାଷୀର ସମସ୍ୟା ହେଉଛି ଆମ ସମସ୍ତଙ୍କ ସମସ୍ୟା ,ସାରା ରାଜ୍ୟର ସମସ୍ୟା । ଚାଷୀର ସମସ୍ୟାକୁ କେବେ ଅଣଦେଖା କରାଯାଇପାରିବ ନାହିଁ ବୋଲି ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ତା ସହିତ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ସାର ସମ୍ପର୍କରେ ଦେଖା ଦେଇଥିବା ଅସୁବିଧାର ସମାଧାନ ପାଇଁ ସେ ନିଜେ କେନ୍ଦ୍ର ସରକାରଙ୍କ ସହ ଯୋଗାଯୋଗରେ ରହିଛନ୍ତି। ଏମଏସପି ଓ ଫସଲ ବୀମା ସମ୍ପର୍କରେ ମଧ୍ୟ ବାରମ୍ବାର କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଉଛି । ସରକାର ସବୁବେଳେ ଚାଷୀମାନଙ୍କ ସାଥିରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ଚଳିତ ବର୍ଷ କମ୍‌ ବର୍ଷା ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଯେ ଅଗଷ୍ଟରେ କମ୍‌ ବର୍ଷା ହୋଇଛି । ତେବେ ବର୍ତ୍ତମାନ ଭଲ ବର୍ଷା ହେଉଥିବାରୁ ଆଗକୁ ସ୍ଥିତିରେ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶାପ୍ରକାଶ କରିଛନ୍ତି। ପରିସ୍ଥିତି ଉପରେ ସରକାର ନଜର ରଖିଛନ୍ତି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କୃଷି ବିଭାଗର କ୍ଷେତ୍ର ଅଧିକାରୀମାନଙ୍କୁ ଚାଷୀ ମାନଙ୍କ ସହ ସବୁବେଳେ ସଂପର୍କରେ ରହି ପରିସ୍ଥିତି ଉପରେ ସତର୍କ ଦୃଷ୍ଟି ରଖିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । କୃଷି ବିଭାଗର ପରାମର୍ଶ ଅନୁଯାୟୀ ଚାଷୀ ଭାଇମାନେ କାମ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।

ପ୍ରାରମ୍ଭରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ନୂଆଖାଇ ଶୁଭେଚ୍ଛା ଜଣାଇ କହିଥିଲେ ଯେ, ନୂଆଁଖାଇ ହେଉଛି ମାଟି ମା ର ପର୍ବ ଆଉ କୃଷକ ମାନେ ହେଉଛନ୍ତି ମାଟି ମା ର ସବୁଠାରୁ ବଡ ପୂଜାରୀ। ଏଭଳି ପବିତ୍ର ଦିନରେ ଚାଷୀ ମାନଙ୍କୁ ସହାୟତା ପ୍ରଦାନ କରାଯାଉଥିବାରୁ ସେ ଖୁସି ପ୍ରକାଶ କରିଥିଲେ। ତା ସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନା ଚାଷୀର କଲ୍ୟାଣ ପାଇଁ ସାରା ଦେଶରେ ସବୁଠାରୁ ଭଲ ଯୋଜନା । ଭୂମିହୀନ ଚାଷୀ ମାନଙ୍କୁ ସହାୟତା ଦେବାରେ ଓଡିଶା ହେଉଛି ଦେଶର ଏକମାତ୍ର ରାଜ୍ୟ । ଲକ୍ଷ ଲକ୍ଷ ଛୋଟ ଚାଷୀ କାଳିଆ ଯୋଜନାରେ ସବୁଠାରୁ ଅଧିକ ଉପକାର ପାଉଛନ୍ତି । କୋଭିଡ ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟ ସରକାର ଏହି ଯୋଜନାରେ ଚାଷୀ ମାନଙ୍କୁ ୩୨୦୦ କୋଟି ଟଙ୍କାରୁ ଅଧିକ ସହାୟତା ପ୍ରଦାନ କରିସାରିଲେଣି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ।

ଚାଷୀମାନେ ମଧ୍ୟ ଏହି କାର୍ଯ୍ୟକ୍ରମରେ ସେମାନଙ୍କ ମତ ରଖିଥିଲେ ସମ୍ଵଲପୁରର ମକରଧ୍ୱଜ ମେଣ୍ଡଳି, ବରଗଡର ଲାସିମା ବିଶ୍ୱାଳ, ବଲାଙ୍ଗୀରର ରାଧାକାନ୍ତ,  ରାଜକୁମାର ପ୍ରଧାନ ଓ ପରମାନନ୍ଦ ମାଝୀ କାଳିଆ ଯୋଜନାର ଉଚ୍ଚ ଫ୍ରଶସା କରିଥିଲେ ଏବଂ ଏହି ଯୋଜନାରେ ଠିକ ସମୟରେ ସହାୟତା ମିଳୁଥବାରୁ ଆଉ ଧାର କରଜ କରିବାକୁ ପଡୁନାହିଁ ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସଚିବ (୫T) କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।