ହାତ ଧରାଧରି ହୋଇ ଚାଲିବେ କାଳିଆ-କିଷାନ୍ । ଦୁଇ ଯୋଜନା ମିଶ୍ରଣ ନେଇ ବିଜ୍ଞପ୍ତି ପ୍ରକାଶ, କାଳିଆ ଯୋଜନା ଗାଇଡଲାଇନରେ ପରିବର୍ତ୍ତନ ।

894

କନକ ବ୍ୟୁରୋ : ହାତ ଧରାଧରି ହୋଇ ଚାଲିବେ କାଳିଆ-କିଷାନ୍ । ରାଜ୍ୟ ସରକାରଙ୍କ କାଳିଆ ଯୋଜନା ଏବଂ କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ୍ ଯୋଜନାର ସମିଶ୍ରଣ ନେଇ ବିଧିବଦ୍ଧ ଭାବରେ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଉ ଏହି ଦୁଇଟି ଯୋଜନା ଏକାଠି କେମିତି କାମ କରିବ ସେନେଇ ଏକ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ କରାଯାଇଛି । କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ପହଂଚାଇବା ଲକ୍ଷ୍ୟରେ ପୂର୍ବରୁ ଥିବା ନିୟମରେ କିଛିଟା ପରିବର୍ତନ ଆଣିଛନ୍ତି ରାଜ୍ୟ ସରକାର ।

କାଳିଆ-କିଷାନ ଭାଇଭାଇ । ଦୁଇ ଯୋଜନାର ମିଶ୍ରଣ ଫର୍ମୁଲା । କାହା ଯୋଜନା ଭଲ, ରାଜ୍ୟର ନା କେନ୍ଦ୍ରର, କାଳିଆ ନା ପିଏମ କିଷାନ । ଏହାକୁ ନେଇ ନିର୍ବାଚନ ପୂର୍ବରୁ ତୁମ୍ବି ତୁଫାନ ଚାଲିଥିବା ବେଳେ ରାଜ୍ୟ ସରକାର ଏବେ ୟୁ ଟର୍ଣ୍ଣ ମାରିଛନ୍ତି । ଚାଷୀଙ୍କ ପାଇଁ କେନ୍ଦ୍ର ଆଣିଥିବା ପିଏମ୍ କିଷାନ୍ ଯୋଜନାରେ ମିଶିଯିବ କାଳିଆ ଯୋଜନା । ଅର୍ଥାତ ମିଳିତ ଭାବେ କରାଯିବ ଚାଷୀଙ୍କ ବିକାଶ । ଏ ନେଇ ନଭେମ୍ବର ୧୫ ତାରିଖରେ ନିଷ୍ପତି ନିଆଯିବା ପରେ ଏବେ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ କରିବା ପାଇଁ ନୂଆ ବିଜ୍ଞପ୍ତି ପ୍ରକାଶ କରିଛି କୃଷି ବିଭାଗ ।

ଜାଣନ୍ତୁ କାଳିଆ ଯୋଜନାରେ କଣ ହେଲା ପରିବର୍ତ୍ତନ
– କାଳିଆ ଯୋଜନାରେ ୨ଟି କିସ୍ତିରେ କ୍ଷୁଦ୍ର, ନାମମାତ୍ର ଓ ବଡଚାଷୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ୧୦ ହଜାର ଟଙ୍କା ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ସରକାର । କିନ୍ତୁ ନୂଆ ଗାଇଡଲାଇନ ଅନୁସାରେ ଚାଷୀଙ୍କୁ କାଳିଆ ଯୋଜନାରେ ୪ ହଜାର ଟଙ୍କା ଦେବେ ସରକାର ।

– ସେହିପରି ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପିଏମ କିଷାନ ଯୋଜନାରେ ୬ ହଜାର ସହ କାଳିଆ ଯୋଜନାରେ ୪ ହଜାର ଅର୍ଥାତ ମୋଟ ୧୦ ହଜାର ଟଙ୍କା ଯିବ ଚାଷୀଙ୍କ ଖାତାକୁ ।

– ଭୂମିହୀନ ଚାଷୀଙ୍କୁ ପୂର୍ବଭଳି ବର୍ଷକୁ କାଳିଆ ଯୋଜନାରେ ୧୦ ହଜାର ଟଙ୍କା ମିଳିବ ।

– ତେବେ ୨୦୧୯ ରବି ଋତୁ ପାଇଁ ମିଳିବନି କାଳିଆ ସହାୟତା ।

– କାଳିଆ ଯୋଜନାରୁ ବାଦ ପଡିଲା ବିନା ସୁଧରେ ଋଣ ବ୍ୟବସ୍ଥା ।

– ପିଏମ କିଷାନ ଯୋଜନା ଚାଲିଥିବା ପର୍ଯ୍ୟନ୍ତ କାଳିଆ ଯୋଜନା ଜାରି ରହିବ ।

– ୨୦୧୯-୨୦ ଆର୍ଥିକ ବର୍ଷରେ ୪,୫୮୭ କୋଟି ୫୮ ଲକ୍ଷ ଟଙ୍କା ଖର୍ଚ୍ଚ ହେବାକୁ ଥିବା ବେଳେ ୨୦୨୦-୨୧ ପାଇଁ ୩ ହଜାର ୪୦୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ସରକାରଙ୍କ ଏହି ନିଷ୍ପତିକୁ ନେଇ ଜୋରଦାର ବିରୋଧ କରିଛନ୍ତି ବିଜେପି ଓ କଂଗ୍ରେସ । ବିରୋଧୀଙ୍କ ଅଭିଯୋଗ, ସରକାରଙ୍କ ପାଖରେ ଟଙ୍କା ନଥିବାରୁ କେନ୍ଦ୍ର ଉପରେ ଭରସା କରୁଛନ୍ତି ସରକାର । ଚାଷୀଙ୍କୁ ପ୍ରତାରଣା କରିଛନ୍ତି ସରକାର । ୨୦୧୯ ନିର୍ବାଚନରେ ବିଜେଡିର ଟ୍ରମ୍ପକାର୍ଡ ଥିଲା କାଳିଆ ଯୋଜନା । ପ୍ରଥମ ପର୍ଯ୍ୟାୟରେ ୫୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଥିଲା କାଳିଆ ଟଙ୍କା । ୨ୟ କିସ୍ତିରେ ପାଖାପାଖି ୫୦ ଲକ୍ଷ ହିତାଧିକାରୀଙ୍କୁ କାଳିଆ ଟଙ୍କା ମିଳିଥିବା ନେଇ କୃଷି ବିଭାଗ ପକ୍ଷରୁ ସୂଚନା ମିଳିଛି ।