ଶରଧାବାଲିରେ ତିନି ରଥ । ଲୀଳାଖେଳା କରି ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ରଥାରୁଢ଼ ତିନି ଠାକୁର ।

592

କନକ ବ୍ୟୁରୋ: ଶରଧାବାଲି ଲାଗିଲା ତିନି ରଥ । ପ୍ରଥମେ ତାଳଧ୍ୱଜ ଓ ଦେବଦଳନ ରଥ ପହଁଚିବାପର ପଛରେ ପହଁଚିଲେ ନନ୍ଦିଘୋଷେ ବିରାଜିତ କାଳିଆ ସାଆନ୍ତେ । ଲୀଳାମୟଙ୍କ କଳାଠାକୁର ଲୀଳାଖେଳା କରି ବିନାଭକ୍ତରେ ଗୁଣ୍ଡିଚା ମନ୍ଦିରରେ ପହଁଚିଲେ ରଥାରୁଢ଼ ତିନି ଠାକୁର । ତେବେ କରୋନା କଟକଣା ଭିତରେ ବି ଚାଲିଛି ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱରେ କରୋନା ମହାମାରୀ ଭିତରେ ପୁରୀରେ କଟକଣା ଯୁକ୍ତ ତଥା ବିନା ଭକ୍ତରେ ରଥଯାତ୍ରା ପାଳନ କରିବାକୁ ସୁପ୍ରିମକୋର୍ଟ ସୁପ୍ରିମ ରାୟ ଦେବା ପରେ ଶ୍ରୀକ୍ଷେତ୍ରରେ ଶତମୁଖର ହୋଇଛି କାଳିଆ ନାଁ । ଆଉ କଟକଣା ଭିତରେ ରୀତିନୀତିକୁ ସମ୍ପନ୍ନ କରି ତିନିରଥ ବିନା ଭକ୍ତରେ ଶରଧା ବାଲିରେ ଲାଗିଛି ।

ତେବେ ପୂର୍ବ ନିର୍ଦ୍ଧାରିତ ଶ୍ରୀମନ୍ଦିର ଭିତରେ ସମସ୍ତ ନୀତିକାନ୍ତି ଶେଷ ହେବା ପରେ ଭୋର ୭ଟାରୁ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡିବିଜେ ନୀତି ସଂପନ୍ନ ହେବା ପରେ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ସବା ଶେଷରେ ସଂପନ୍ନ ହୋଇଥିଲା ବିଶ୍ୱନଅନ୍ତା ପ୍ରଭୁ ଶ୍ରୀ କାଳିଆ ଠାକୁରଙ୍କର ପହଣ୍ଡିବିଜେ ନୀତି । ଏହାପରେ ପୁରୀ ଗଜପତି ମହାରାଜ ଆସି ରଥାରୁଢ ତିନି ଠାକୁରଙ୍କ ତିନି ରଥରେ ସୁନା ଝାଡୁ ଧରି ଛେରା ପହଁରା ନୀତି ସଂପନ୍ନ କରିଥିଲେ । ଏହାପରେ ରଥଟଣା ଆରମ୍ଭ ହୋଇଥିଲା । ସୁପ୍ରିମକୋର୍ଟଙ୍କ କରୋନା ଗାଇଡଲାଇନ୍ ଅନୁସାରେ ବିନାଭକ୍ତରେ କେବଳ ସେବାୟତମାନଙ୍କ ଦ୍ୱାରା ରଥ ଗଡ଼ିଥିଲା ।