ଚାଷୀ ପାଇଁ ‘କାଳିଆ-କିଷାନ’ କୋଳାକୋଳି: ‘କାଳିଆ’ ଦେବ ୪ ହଜାର, ‘କିଷାନ’ ଦେବ ୬ । ଗାଇଡଲାଇନରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର

1,410

କନକ ବ୍ୟୁରୋ: ଚାଷୀକୁ ସ୍ୱାଭାଲମ୍ବୀ କରିବାକୁ ମିଳିମିଶି ଆଗେଇ ଆସିଲେ କେନ୍ଦ୍ର ଓ ରାଜ୍ୟ ସରକାର । ଚାଷୀଙ୍କୁ ସୁବିଧା ଦେବାକୁ କାଳିଆ ଯୋଜନାର ଗାଇଡଲାଇନରେ ପରିବର୍ତ୍ତନ ଆଣିଲେ ରାଜ୍ୟ ସରକାର । କୃଷି ବିଭାଗ ବୈଠକରେ ଗାଇଡଲାଇନ ପରିବର୍ତ୍ତନ ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ସରକାର ।

ତେବେ ଚାଷୀଙ୍କୁ ମିଳୁଥିବା ୧୦ ହଜାର ଟଙ୍କା ଖାଲି ରାଜ୍ୟ ସରକାର ଦେବେନି । ଏଣିକି ଏହି ଟଙ୍କା ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିମିଶି ଦେବେ । ରାଜ୍ୟ ସରକାର ୪ ହଜା ଟଙ୍କା ଓ କେନ୍ଦ୍ର ସରକାର ୬ ହଜାର ଟଙ୍କା ଦେବେ । ପୂର୍ବରୁ କାଳିଆ ଯୋଜନାରେ କ୍ଷୁଦ୍ର ଓ ବଡ ଚାଷୀଙ୍କୁ କେବଳ ରାଜ୍ୟ ଏହି ଟଙ୍କା ଦେଉଥିବା ବେଳେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ଏହି ଟଙ୍କା ମିଶିକି ଦେବେ ।

ତେବେ ଚାଷୀ ଏବେ କେବଳ ‘କାଳିଆ’ ପାଖରୁ ନୁହେଁ ‘ପିଏମ କିଷାନ’ରୁ ମଧ୍ୟ ଟଙ୍କା ପାଇବେ । କାଳିଆରୁ ୪ ଓ କିଷାନରୁ ୬ ମିଳି ବ । ସେପଟେ ଭୂମିହୀନଙ୍କୁ ରାଜ୍ୟ ସରକାର ଦେବେ ୧୦ ହଜାର ଟଙ୍କା । ବର୍ତ୍ତମାନ ସୁଦ୍ଧା ୫୧ ଲକ୍ଷରୁ ଅଧିକ ଚାଷୀ କାଳିଆ ଟଙ୍କା ପାଇଛନ୍ତି ବୋଲି ସୂଚନା ଦେଇଛନ୍ତି ସରକାର ।

ଗତ କିଛି ଦିନ ହେବ ଚାଷୀଙ୍କ ପାଇଁ କେନ୍ଦ୍ର-ରାଜ୍ୟ ଏକାଠି କାମ କରିବେ ବୋଲି ଚର୍ଚ୍ଚା ହେଉଥିଲା । କାଳିଆ ଓ କିଷାନ ମିଶିଯିବେ ବୋଲି ଚର୍ଚ୍ଚା ଜୋର ଧରିବା ପରେ କୃଷି ମନ୍ତ୍ରୀ ଅରୁଣ ସାହୁ ସ୍ପଷ୍ଟୀକରଣ ରଖିଥିଲେ । କାଳିଆ-କିଷାନ ମିଶିଗଲେ ବି କାଳିଆ ବନ୍ଦ ହେବନି କି ଚାଷୀଙ୍କୁ ହଇରାଣ କରିବନି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ । ଆଉ ଆଜି କୃଷି ବିଭାଗ ପକ୍ଷରୁ ଏକ ବୈଠକ କରି ଏମିତି କିଛି ବଡ ନିଷ୍ପତ୍ତି ନିଆଯାଇଛି । ଯାହା ଚାଷୀଙ୍କ ପାଇଁ ହିତକର ହେବ ।