୧୨ ମାସ ସଂଘର୍ଷର ଅନ୍ତ : ଜଗାକୁ ଛାଡ଼ି ଚାଲିଗଲା ବହୁଚର୍ଚ୍ଚିତ କନ୍ଧମା‌ଳର ଯୋଡ଼ାମୁଣ୍ଡ ଶିଶୁ କାଳିଆ

ସେପ୍ଟିସେମିଆରେ ଚାଲିଗଲା ଜୀବନ; ଦିଲ୍ଲୀ ଏମ୍ସରେ ଅପରେସନ ପରେ ଅସୁସ୍ଥ ରହୁଥିଲା କାଳିଆ

203

କନକ ବ୍ୟୁରୋ : କଟକ ଏସସିବିରେ ଆଖି ବୁଜିଲା କାଳିଆ । କନ୍ଧମାଳର ଯୋଡାମୁଣ୍ଡ ଶିଶୁଙ୍କ ମଧ୍ୟରୁ କାଳିଆର ମୃତ୍ୟୁ ହୋଇଛି । ସେପ୍ଟିସେମିଆ ଯୋଗୁଁ କାଳିଆର ମୃତ୍ୟୁ ହୋଇଥିବା ନେଇ ଏସସିବିର ଜରୁରିକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି । ଦିଲ୍ଲୀ ଏମସରେ ଯୋଡା ମୁଣ୍ଡ ଶିଶୁ ଜଗା କାଳିଆର ଅସ୍ତ୍ରୋପଚାର କରାଯାଇଥିଲା । ପରେ ସେମାନଙ୍କୁ କଟକ ଏସସିବିକୁ ଅଣାଯାଇଥିଲା ଏବଂ ଚିକିତ୍ସା ଜାରି ରହିଥିଲା । କନ୍ଧମାଳର ଏହି ଯୋଡାମୁଣ୍ଡ ଶିଶୁଙ୍କ କାହାଣୀ ଗଣମାଧ୍ୟମରେ ପ୍ରସାରଣ ପରେ ସରକାରୀ ସ୍ତରରେ ବହୁ ପଦକ୍ଷେପ ଗ୍ରହଣ କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଆର୍ଥିକ ସହାୟତାରେ ଅସ୍ତ୍ରୋପଚାର କରାଯାଇ ଦୁଇ ଶିଶୁଙ୍କୁ ଯୋଡା ମୁଣ୍ଡକୁ ଅଲଗା କରାଯାଇଥିଲା । କିନ୍ତୁ ଏହି ଅପରେସନ ପରେ ଜଗା ତୁଳନାରେ କାଳିଆ ଅସୁସ୍ଥ ରହୁଥିଲା । ତେଣୁ ତା ଉପରେ ସ୍ୱତନ୍ତ୍ର ନଜର ରଖାଯାଇଥିଲା । ୨୦୧୭ ଜୁଲାଇ ୧୪ ତାରିଖରେ କନ୍ଧମାଳ ଜିଲ୍ଲା ମିଲୁପଡା ଗାଁର ଯୋଡାମୁଣ୍ଡ ଶିଶୁ ଜଗା- କାଳିଆଙ୍କୁ ଦିଲ୍ଲୀ ଏମ୍ସରେ ଅସ୍ତ୍ରୋପଚାର କରିବା ପାଇଁ ଭର୍ତି କରାଯାଇଥିଲା । ଅପରେସନ ପାଇଁ ଅଭିଜ୍ଞ ଡାକ୍ତରୀଦଳ ଗଠନ କରାଯାଇଥିଲା । ଜଗା, କାଳିଆର ମଙ୍ଗଳ କାମନା କରି ସାରା ରାଜ୍ୟରେ ବହୁ ଯାଗଯଜ୍ଞ ଓ ଦୀପଦାନ ହୋଇଥିଲା ।

୨୦୧୭ ମସିହାରେ ହିଁ ଯୋଡାମୁଣ୍ଡ ଭାଇଙ୍କର ଏହି ବିରଳ ଅପରେସନକୁ ସଫଳତାର ସହ ଶେଷ କରାଯାଇଥିଲା । ଏହା ପରେ ଦିଲ୍ଲୀ ଏମ୍ସରେ ଦୀର୍ଘ ଦିନ ଧରି ରହିବା ପରେ ୨୦୧୯ ସେପ୍ଟେମ୍ବର ୭ ତାରିଖରେ ଓଡିଶା ଫେରିଥିଲେ ଜଗା-କାଳିଆ । ଏଠାରେ ଏସସିବିରେ ସେମାନଙ୍କ ଚିକିତ୍ସା ପାଇଁ ୧୬ ଜଣିଆ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ୟ ଗଠନ କରାଯାଇଥିଲା । ସେବେଠାରୁ ସେମାନେ ଏସସିବି ଡାକ୍ତରଖାନାରେ ରହି ଚିକିତ୍ସିତ ହେଉଥିଲେ । ତେବେ ଗତକାଲି ରାତି ପ୍ରାୟ ୯ଟା ବେଳେ କାଳିଆ ଆଖିବୁଜି ଥିଲା ।