ଆଜି ଖାତାକୁ ଆସିବ ‘କାଳିଆ’ ଟଙ୍କା ! ପୁରୀବାସୀଙ୍କୁ ମିଳିବନି ସହାୟତା

2,140

କନକ ବ୍ୟୁରୋ : ଆଜି ଗଣପର୍ବ ନୂଆଖାଇ । ନୂଆଖାଇ ପାଇଁ ପଶ୍ଚିମଓଡିଶାର ସବୁଠି ମହକି ଉଠୁଛି ପିଠାପଣାର ବାସ୍ନା । ନୂଆଖାଇ ଏକ କୃଷି ଭିତିକ ପର୍ବ । ମାଆ ମାଟିକୁ କୃତଜ୍ଞତା ଜଣାଇବାର ପର୍ବ । ପ୍ରଥମ ଅମଳ ଧାନକୁ ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ନିଜେ ସେବନ କରନ୍ତି ସମସ୍ତେ । ଏଥିସହ ନୂଆଖାଇ ଏକ ଭାଇଚାରାର ପର୍ବ  ହୋଇଥିବାରୁ ପରସ୍ପର ପ୍ରତି ଥିବା ସମସ୍ତ କ୍ରୋଧ, ଅସୂୟା ଭାବକୁ ପଛରେ ପକାଇ ସମସ୍ତେ ପରସ୍ପରର ଶୁଭ ମନାସିବା ସହ ଶୁଭେଛା ଜଣାଇଥାନ୍ତି ।

 ଆଉ ଏହି ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଷୀଙ୍କ ମୁଁହରେ ହସ ଫୁଟାଇବା ପାଇଁ ‘କାଳିଆ’ ସହାୟତା ବଣ୍ଟନ କାର୍ଯ୍ୟକ୍ରମ ରହିଛି । ତେବେ ପୁରୀ ଜିଲ୍ଲାର ଚାଷୀଙ୍କୁ ଏହି ସହାୟତା ମିଳିବ ନାହିଁ । ଚଳିତମାସ ୩୦ରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବାକୁ ରହିଥିବାରୁ ନିର୍ବାଚନ କଟକଣା ପାଇଁ ଜିଲ୍ଲାବାସୀଙ୍କୁ  ଅଧିକ ସମୟ ଅପେକ୍ଷା କରିବାକୁ ପଡିବ ।

ସରକାରଙ୍କ ତଥ୍ୟ ଅନୁଯାୟୀ ଆଜି ଅପରାହ୍ଣ ସାଢେ ୫ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଳିଆ ସହାୟତା ବଣ୍ଟନ କରିବେ । ଏଥିରେ ରାଜ୍ୟର ପାଖାପାଖି ୩୭ଲକ୍ଷ ୭୫ ହଜାର ଚାଷୀଙ୍କୁ କାଳିଆ ବାବଦକୁ ୨ହଜାର ଟଙ୍କା ଲେଖାଏଁ ସହାୟତା ବଣ୍ଟନ କରାଯିବ । ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୭୫୫ କୋଟି ଟଙ୍କା ଖର୍ଚ୍ଚ ହେବାକଥା, କିନ୍ତୁ ପୁରୀ ଜିଲ୍ଲାର ଚାଷୀଙ୍କୁ ସହାୟତା ବାବଦ ଅର୍ଥ ଦିଆଯିବ ନାହିଁ । ଏବାବଦକୁ ପ୍ରାୟ ୧୩କୋଟି ଟଙ୍କା କମ୍ ରହିବ ବୋଲି ଜଣାଯାଇଛି ।