ଖାସ୍ କାଳିଆ ଟଙ୍କା ହାତେଇବା ପାଇଁ… । କାଗଜପତ୍ରରେ ସ୍ୱାମୀ-ସ୍ତ୍ରୀ ଭିନ୍ନେ, ରାଜନଗରରୁ ଆସିଲା କାଳିଆ ଦୁର୍ନୀତିର କଳାକାହାଣୀ ।

1,294

କନକ ବ୍ୟୁରୋ : କାଳିଆ ପାଇଁ ସ୍ୱାମୀ-ସ୍ତ୍ରୀ ଭିନ୍ନେ । କାଳିଆ ସହାୟତା ହାତେଇବା ପାଇଁ ନୂଆ ଚାଲ୍ । କେନ୍ଦ୍ରାପଡାର ରାଜନଗରରେ କାଳିଆ ଦୁର୍ନୀତିକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ଜଣେ ପୂର୍ବତନ ବିଧାୟକ ଏବଂ ସମବାୟ ସମିତି ସଭାପତିଙ୍କ ପରିବାର ବେଆଇନ ଭାରବେ ଏହି ସରକାରୀ ଯୋଜନା ହାତେଇଥିବା ନେଇ ଖବର ସାମ୍ନାକୁ ଆସିଥିଲା । ଏବେ ମିଳିଥିବା ଆଉ ଏକ ତଥ୍ୟ ଅନୁଯାୟୀ, ‘କାଳିଆ’ ଯୋଜନା ବାବଦ ଅର୍ଥ ହାତେଇବା ପାଇଁ ସ୍ୱାମୀ-ସ୍ତ୍ରୀ ବି ଭିନ୍ନେ ବୋଲି ଦର୍ଶାଇବାକୁ ପଛାଇ ନାହାନ୍ତି। କେତେଜଣ ସ୍ୱାମୀ-ସ୍ତ୍ରୀ ଉଭୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ସ୍ଥାନ ପାଇଥିବାବେଳେ ଆଉ କେଉଁଠି ସ୍ୱାମୀ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ଏବଂ ସ୍ତ୍ରୀ ଭୂମିହୀନ ଚାଷୀ ତାଲିକାରେ ସ୍ଥାନ ପାଇଛନ୍ତି। ସହାୟତା ରାଶି ହାତେଇବାକୁ ସ୍ୱାମୀ-ସ୍ତ୍ରୀ ପୃଥକ ହେବା ଘଟଣା ସମ୍ପୃକ୍ତ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

ଅଭିଯୋଗ ମୁତାବକ, ଓସ୍ତିଆ ପଂଚାୟତ ବାଲିକଣା ଗାଁର ଦୟାନିଧି ରାଉତ ‘କାଳିଆ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ପାଇଛନ୍ତି। ଏଥିସହ ତାଙ୍କ ସ୍ତ୍ରୀ ମଂଜୁଲତା ରାଉତ ମଧ୍ୟ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଭାବେ ସହାୟତା ରାଶି ହାତେଇଛନ୍ତି। ସ୍ୱାମୀ-ସ୍ତ୍ରୀ କିପରି ପୃଥକ ପରିବାରର ମୁଖ୍ୟ ହୋଇ ସହାୟତା ରାଶି ହାତେଇଲେ, ସେ ନେଇ ପ୍ରଶ୍ନ ଉଠିଛି। ଈଶ୍ବରପୁର ପଂଚାୟତ ଜୁନୁସନଗର ଗାଁର ସିଦ୍ଧେଶ୍ବର ଗିରିଙ୍କ ପୁଅ ଭୀମସେନ ଗିରିଙ୍କ ନାଁ ‘କାଳିଆ’ ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ହିତାଧିକାରୀ ତାଲିକାରେ ରହିଛି। ସେହି ତାଲିକାରେ ଉଷାରାଣୀ ଗିରିଙ୍କ ନାଁ ରହିଛି। ଉଷାରାଣୀ ଭୀମସେନଙ୍କ ପତ୍ନୀ । ମାତ୍ର ଆବେଦନ ସମୟରେ ସ୍ୱାମୀ ଭୀମସେନଙ୍କ ନାଁ ନଲେଖି ପିତା ବାସୁଦେବ ଲେଖି ଆବେଦନ କରିଥିଲେ।

ସେହିପରି ଓସ୍ତିଆ ପଂଚାୟତ ଜଗନ୍ନାଥପୁର ଶାସନ ଗାଁର ବିନାୟକ ମିଶ୍ରଙ୍କ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ନାଁ ରହିଛି। ମାତ୍ର ଭୂମିହୀନ ଚାଷୀ ତାଲିକାରେ ବିନାୟକଙ୍କ ପତ୍ନୀ କୁମୁଦିନୀଙ୍କ ନାଁ ରହିଛି। ସେହି ପଂଚାୟତ ବାଲିକଣା ଗାଁର ରମେଶ ଚନ୍ଦ୍ର ରାଉତଙ୍କ ନାଁ କ୍ଷୁଦ୍ର ଓ ନାମମାତ୍ର ଚାଷୀ ତାଲିକାରେ ରହିଛି। ମାତ୍ର ପତ୍ନୀ ଦମୟନ୍ତୀଙ୍କ ନାଁ ଭୂମିହୀନ ଚାଷୀ ତାଲିକାରେ ରହିଛି। ସ୍ୱାମୀଙ୍କ ନାଁରେ ଜମି ଥିବାବେଳେ ସ୍ତ୍ରୀ କିପରି ଭୂମିହୀନ ହେଲେ ଓ ସ୍ୱାମୀ, ସ୍ତ୍ରୀ ପୃଥକ ପରିବାରର ମୁଖ୍ୟ ଭାବେ କିପରି ସହାୟତା ରାଶି ହାତେଇଲେ, ସେ ନେଇ ପ୍ରଶ୍ନ ଉଠିଛି। ରାଜନଗର ବ୍ଲକରେ ଶହ ଶହ ପରିବାରର ସ୍ୱାମୀ, ସ୍ତ୍ରୀ ହାତେଇବାକୁ କାଗଜ କଲମରେ ଭିନ୍ନେ ହୋଇଯାଇଛନ୍ତି। ଏହାର ତଦନ୍ତ କରାଗଲେ, ରାଜନଗରରେ ‘କାଳିଆ’ ନାଁରେ କିପରି କେଳେଙ୍କାରୀ ହୋଇଛି, ତାହା ସମ୍ନାକୁ ଆସିପାରିବ ବୋଲି ମତପ୍ରକାଶ ପାଇଛି।