କନକ ବ୍ୟୁରୋ: ଜମୁଛି କାଳୀପୂଜା । ଯାଜପୁରର ବ୍ୟାସନଗର ସହରରେ ବିଭିନ୍ନ ପୂଜା ମଣ୍ଡପରେ ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ଶ୍ୟାମାକାଳୀଙ୍କ ପୂଜା । ଚଳିତ ବର୍ଷ ବ୍ୟାସନଗର ପୌରାଞ୍ଚଳରେ ୧୫ଟି ପୂଜା ମଣ୍ଡପରେ ଆରମ୍ଭ ହୋଇଛି ମାଙ୍କର ପୂଜା । ସେଥିପାଇଁ ପୂଜାମଣ୍ଡପ ଗୁଡ଼ିକ ଆଜି ସଖାଳୁ ଚଳଚଞ୍ଚଳ ହୋଇଯାଇଛି  । ପ୍ରଥମଥର ପାଇଁ ବ୍ୟାସନଗର ପୌର ପରିଷଦର ଦଳା ଏବଂ ନହକା ଗୋଲେଇଛକ ମଣ୍ଡପରେ ଆରମ୍ଭ ହୋଇଛି ନୂତନ ଭାବେ କାଳୀପୂଜା । କାଳୀପୂଜା ପାଇଁ ଚଳଚଞ୍ଚଳ ହୋଇଉଠିଛି ବ୍ୟାସନଗର ସହର  ।

Advertisment

ବ୍ୟାସନଗରବାସୀ ଏହାକୁ ଗଣ ପର୍ବ ରୂପେ ପାଳନ କରୁଛନ୍ତି । ସହରର ମୁଖ୍ୟ ରାସ୍ତା ଏବଂ ଅନ୍ୟାନ୍ୟ ସ୍ଥାନରେ ତିଆରି ହୋଇଛି ସୁନ୍ଦର ସୁନ୍ଦର ସୁଉଚ୍ଚ ତ୍ୱରଣ । ବିଦ୍ୟୁତ ଆଲୋକରେ ଝଲସୁଛି ସାରା ସହର । ଜିଲ୍ଲାର ଅନେକ ସ୍ଥାନରେ ମୀନାବଜାର ପାଇଁ ଦୋଳି ଓ ଦୋକାନ ଖୋଲା ଯାଇଥିବା ଦେଖିବାକୁ ମିଳିଛି ।

ଗତକାଲି ମଧ୍ୟରାତ୍ରରୁ ପ୍ରତେକ ପୂଜା ମଣ୍ଡପରେ ମାଆଙ୍କ କଳସଯାତ୍ରା ଆରମ୍ଭ ହୋଇଥିଲା । ତେବେ ରାତିତମାମ ମା’ଙ୍କ ପୂଜା ଚାଲିଥିବା ବେଳେ ଆଜି ସକାଳୁ ସକାଳୁ ମା’ଶ୍ୟାମା କାଳୀଙ୍କ ପୂଜାର୍ଚନା ଶେଷ ହୋଇଛି । ସେପଟେ ଆଜି ଠାରୁ ବ୍ୟାସନଗର ପୌର ପରିଷଦରେ ୧୦ ଦିନ ଧରି ବିଭିନ୍ନ ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହେବା ସହ ୨୨ ତାରିଖରେ ଭସାଣି ମେଲଣ ଉତ୍ସବ ଅନୁଷ୍ଠିତ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ମିଳିଛି  ।