କୋଭିଡ୍ କଟକଣା ଭିତରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳିତ ହେଉଛି କାଳିପୂଜା : ଭଦ୍ରକ, ଯାଜପୁର ଓ ବାଲେଶ୍ୱରରେ ଉତ୍ସାହ

ଏପଟେ ସମ୍ବଲପୁରରେ ମା ସମଲେଶ୍ୱରୀଙ୍କ ମନ୍ଦିରରେ ଚାଲିଛି ପୂଜାର୍ଚ୍ଚନା

176

କନକ ବ୍ୟୁରୋ : ଆଜି ହେଉଛି ପବିିିତ୍ର ଆଲୋକର ପର୍ବ ଦୀପାବଳୀ । କୋଭିଡ କଟକଣାକୁ ମାନି ରାଜ୍ୟରେ ପାଳନ ହେଉଛି ଦୀପାବଳି ପର୍ବ । ମନ୍ଦିର ଗୁଡ଼ିକରେ ଭିଡ଼କୁ ନଜରରେ ରଖି ରାଜ୍ୟ ସରକାର କଡ଼ା ନିୟମାବଳୀ ଜାରି କରିଛନ୍ତି । ମନ୍ଦିର ଗୁଡ଼ିକରେ ମଧ୍ୟ ସରକାରୀ ନିୟମକୁ  ପାଳନ କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଆଜି ମଧ୍ୟ ପବିତ୍ର କାଳିପୂଜା । ବାଲେଶ୍ୱର ବିବେକାନନ୍ଦ ମାର୍ଗ ସ୍ଥିତ ଲଳିତେଶ୍ୱରୀ କାଳୀ ମନ୍ଦିରରେ କାଳୀପୂଜା ବେଶ ଧୂମ୍ ଧାମରେ ପାଳନ ହେଉଛି । ଜନ ସମାଗମକୁ ନଜର ରଖି ମନ୍ଦିର ତରଫରୁ ଭକ୍ତମାନଙ୍କୁ ଗେଟ ବାହାରୁ ମାଙ୍କ ଦର୍ଶନ ପାଇଁ ଛଡ଼ା ଯାଉଥିବା ବେଳେ ସାନିଟାଇଜ ମଧ୍ୟ କରାଯାଇଛି । ସେହିପରି ଭକ୍ତମାନେ ମଧ୍ୟ ମାଙ୍କୁ ପାଖରୁ ଦର୍ଶନ କରିପାରୁ ନଥିବାରୁ ସେମାନେ ତାଙ୍କର ଦୁଃଖ ପ୍ରକାଶ କରିଛନ୍ତି ।

 ସେହିଭଳି ଭଦ୍ରକର ଐତିହାସିକ ମା’ ଭଦ୍ରକାଳୀଙ୍କ ଶପ୍ତମାତୃକା ବେଶ ଅନୁଷ୍ଠିତ ହେବ । ସପ୍ତମାତୃକାର ପ୍ରଥମ ଦିନରେ ମା’ ଆଜି ବେଦମାତା ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ଏଥିପାଇଁ ଚଳଚଂଚଳ ହୋଇଛି ମା’ଙ୍କ ପୀଠ । କରୋନା କଟକଣା ଯୋଗୁଁ ଏଥର ଫିକା ପଡ଼ିଛି ମା’ଙ୍କ ପୂଜା । ବିଧି ଅନୁଯାୟୀ ଏଥର ମା’ଙ୍କ ପୂଜା ଅନୁଷ୍ଠିତ ହେବ । ବେଦମାତା ବେଶରେ ମା’ଙ୍କୁ ଦର୍ଶନ କଲେ ପରିବାରର ମନସ୍କାମନା ପୁରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି ।

ଅନ୍ୟପକ୍ଷରେ ଯାଜପୁରରେ ମଧ୍ୟ ଶ୍ୟାମାକାଳୀଙ୍କ ପୂଜା ପାଇଁ ପ୍ରସ୍ତୁତି ଯୋଜଦାର ହୋଇଛି । ଏଥିପାଇଁ ବ୍ୟାସନଗର ସହରରେ ହୋଇଛି ବ୍ୟାପକ ପ୍ରସ୍ତୁତି । ଦିନ ରାତି ଏକ କରି ମୃଣୟୀ ମୃର୍ତ୍ତି ତିଆରି କରିଛନ୍ତି କାରିଗର । କରୋନା କଟକଣା ଯୋଗୁଁ ଚଳିତ ବର୍ଷ କୌଣସି ମଣ୍ଡପରେ ଉଚ୍ଚ ମୁର୍ତି ନିର୍ମାଣ ହୋଇନାହିଁ । ନିରାଡ଼ମ୍ବର ଭାବେ ପାଳନ ହେଉଛି ମା’ ଶ୍ୟାମାକାଳୀ ପୂଜା  । କରୋନା କଟକଣା ମଧ୍ୟରେ ଶାନ୍ତି ଶୃଂଖଳାରେ ପୂଜା ଶେଷ କରିବାକୁ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଇଛି । କରୋନା ମହାମାରୀ ପାଇଁ ଫିକା ପଡ଼ିଛି ପାର୍ବଣର ଋତୁ । ପୂର୍ବବର୍ଷ ମାନଙ୍କ ଭଳି ଏବର୍ଷ କୌଣସି ମଣ୍ଡପରେ ବଡ଼ ବଡ଼ ମୁର୍ତି ନିର୍ମାଣ ହୋଇନାହିଁ । କି ସୁଉଚ୍ଚ ତୋରଣର ସାଜସଜା ହୋଇନାହିଁ ।

ଦୀପାବଳିରେ ବାଣ ଉପରେ କଟକଣା ଲଗିଥିବା ବେଳେ ଆଜି କଟକଣା ଭିତରେ କାଳି ପୂଜା ଅନୁଷ୍ଠିତ ହେଉଛି । ସମ୍ବଲପୁରର ଇଷ୍ଟଦେବୀ ମା ସମଲେଶ୍ୱରୀ ମନ୍ଦିର ପରିସରରେ ଥିବା କାଳି ମନ୍ଦିରରେ ରୀତିନୀତିରେ ପୂଜା କରାଯାଉଛି । ସେହିପରି ସହରର ଗୋଲବଜାର ଅଂଚଳରେ ଦୀପାବଳି ପାଇଁ କିଣାକିଣି କରୁଛନ୍ତି ସହରବାସୀ ।