କନକ ବ୍ୟୁରୋ: ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ଓଡ଼ିଶା ଉପରେ କାଳବୈଶାଖୀ ଆଶଙ୍କା ରହିଛି। ଏହି ସମୟ ମଧ୍ୟରେ କେନ୍ଦୁଝରରୁ କେନ୍ଦ୍ରାପଡ଼ା ହେଉ ଅଥବା ବରଗଡ଼ରୁ ବାଲେଶ୍ବର ପର୍ଯ୍ୟନ୍ତ; ସବୁଠି କାଳବୈଶାଖୀ ପ୍ରଭାବ ରହିବ। ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଗୋଟିଏ ଦୁଇଟି ସ୍ଥାନରେ ୩୦ ମିମିରୁ ଅଧିକ ବର୍ଷା ମଧ୍ୟ ହୋଇପାରେ। ତାହାକୁ ଦୃଷ୍ଟିରେ ରଖି ସୋମବାର ପୂର୍ବାହ୍ନ ପର୍ଯ୍ୟନ୍ତ ଓଡ଼ିଶା ପାଇଁ ସତର୍କ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ।
ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ଯେ ଉତ୍ତର ଓଡ଼ିଶାର ଅଧିକାଂଶ ସ୍ଥାନରେ କାଳବୈଶାଖୀ ପ୍ରଭାବ ରହିବ। ଦକ୍ଷିଣ ଓଡ଼ିଶାରେ ବି କେତେକ ସ୍ଥାନରେ ବର୍ଷା ହୋଇପାରେ। ବିଶେଷକରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୁଳ, ଢ଼େଙ୍କାନାଳରେ ଘଡ଼ଘଡ଼ି ସହ ବର୍ଷା ହେବ। ଏଥିସହ କଟକ, କେନ୍ଦ୍ରାପଡ଼ା, ବରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଧା ଜିଲ୍ଲାରେ ବଜ୍ରପାତର ଆଶଙ୍କା ରହିଛି। ତାହାକୁ ଦୃଷ୍ଟିରେ ରଖି ଯେଉଁ ଅଞ୍ଚଳରେ ଝଡ଼ବର୍ଷାର ଆଶଙ୍କା ରହିଛି ପ୍ରତି ୩ରୁ ୫ ଘଣ୍ଟା ବ୍ୟବଧାନରେ ସତର୍କସୂଚନା ଜାରି କରାଯାଉଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ ଓ ଯାଜପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହାପରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ପ୍ରଭାବ ଲାଗି ରହିବ ବୋଲି କୁହାଯାଇଛି।
ଅନ୍ୟପକ୍ଷରେ ଗତକାଲି ଦିନର ସର୍ବୋଚ୍ଚ ତାପମାତ୍ରା ରେକର୍ଡ ଭାଙ୍ଗିଛି। ପ୍ରଥମଥର ପାଇଁ ଚଳିତବର୍ଷର ସର୍ବୋଚ୍ଚ ତାପମାତ୍ରା ମାଲକାନଗିରିରେ ୪୦ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ୧୧ଟି ସହରର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲି ଯାଇଛି। ସୋନପୁରରେ ଆଜି ୩୮.୨ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୩୮ ଡିଗ୍ରି ଛୁଇଁଛି। ଭୁବନେଶ୍ବର ତାପମାତ୍ରା ପୁଣିଥରେ ବୃଦ୍ଧି ପାଇ ୩୭.୩ ଡିଗ୍ରିରେ ପହଞ୍ଚିଛି। ଗତ ୨୪ ଘଣ୍ଟା ମଧ୍ୟରେ କେନ୍ଦୁଝର, ସମ୍ବଲପୁର, ବଲାଙ୍ଗୀର ସମେତ ଭୁବନେଶ୍ବର, କଟକର କେତେକ ସ୍ଥାନରେ ଝଡ଼ବର୍ଷା ହୋଇଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2018/07/weather.jpg)