କନକ ବ୍ୟୁରୋ : ଜଳୁଛି ଓଡିଶା । ପ୍ରଚଣ୍ଡ ତାତି ଓ ଗୁଳୁଗୁଳିରେ ସାରା ରାଜ୍ୟ କଲବଲ ହୋଇଛି । ତତଲା କଡେଇ ପାଲଟି ଯାଇଛି ପଶ୍ଚିମଓଡିଶା । ବୁଧବାର ରାଜ୍ୟର ୧୩ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୪ଦଶମିକ ୫ଡିଗ୍ରୀ ତାପମାତ୍ରା ସହ ବଲାଙ୍ଗୀର ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହର ହୋଇଛି । ସୋନପୁର ୪୪ ଡିଗ୍ରୀ, ସମ୍ବଲପୁର ୪୩ ଦଶମିକ ୮ଡିଗ୍ରୀ , ଟିଟିଲାଗର ଓ ହୀରାକୁଦରେ ୪୩ ଦଶମିକ ୫ଡିଗ୍ରୀ ରହିଛି । ଏପଟେ ଉପକୂଳର ତାତି ସେଭଳି ନଥିଲେ ମଧ୍ୟ ଦିନର ହ୍ୟୁମିଡିଟି ୫୫ପ୍ରତିଶତକୁ ଡେଇଁ ଯାଇଥିଲା । ଏଣୁ ଗୁଳୁଗୁଳି ଓ ଝାଞ୍ଜିମାଡରେ ଆଉଟପାଉଟୁ ହୋଇଥିଲା ଜନଜୀବନ । ତେବେ ଏହି ତାତିରୁ ଆଗକୁ ନିସ୍ତାର ମିଳିବ ବୋଲି ଆଶ୍ୱାସନା ଦେଇଛି ପାଣିପାଗ ବିଭାଗ । ଆକଳନ ଅନୁଯାୟୀ ଆଜି ଝାରସୁଗୁଡା, ସମ୍ବଲପୁର, ସୁନ୍ଦରଗଡ, ଦେବଗଡ, ବଲାଙ୍ଗୀର ସମେତ ୧୩ ଟି ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବ । ଏହାକୁ ଆଖି ଆଗରେ ରଖି ୧୩ଟି ଜିଲ୍ଲାରେ ସତର୍କସୂଚନା ଜାରି କରାଯାଇଛି ।
ଉତରପ୍ରଦେଶଶ ଓ ଆସାମ ସମେତ କେତେକ ରାଜ୍ୟରେ କାଳବୈଶାଖୀ ଯୋଗୁ ଝଡବାତ୍ୟା ଓ ବର୍ଷା ହୋଇଛି । ପ୍ରବଳ ଝଡତୋଫାନ ଓ ବର୍ଷା ଯୋଗୁ ୟୁପିରେ ୧୨ଜଣଙ୍କ ମୃତ୍ୟୁ ଘଟିିବା ସହ ୧୧ଜଣ ଆହତ ହୋଇଛନ୍ତି । ସେହିଭଳି ଆସାମରେ ଜଣଙ୍କର ମୃତ୍ୟୁ ହୋଇଛନ୍ତି । ଯୁପି ସରକାରଙ୍କ ତଥ୍ୟ ଅନୁସାରେ ଇଟାୱାରେ ୪, ମଥୁରାରେ ୩, ଫିରୋଜପୁରରେ ୨ ଏବଂ ଆଗ୍ରା, କାନପୁର ଓ ଆଲିଗଡରେ ଜଣେ ଲେଖାଏଁ ଲୋକ ପ୍ରାଣ ହରାଇଛନ୍ତି । ଝଡତୋଫାନ ଯୋଗୁଁ ବଡ ବଡ ଗଛ ଉପୁଡି ପଡିଛି ଓ ବିଦ୍ୟୁତ ସେବା ବାଧାପ୍ରାପ୍ତ ହୋଇଛି । ଦିଲ୍ଳୀରେ ମଧ୍ୟ ଧୂଳିଝଡ ସହିତ ୫୦ରୁ ୬୦କିଲୋମିଟର ବେଗରେ ପବନ ମଧ୍ୟ ବହିଥିଲା । ଫଳରେ ଦିଲ୍ଲୀର ତାପମାତ୍ରା ହ୍ରାସ ପାଇଛି । ମେଘାଳୟ ଓ ହରିଆନାର କେତେକ ଅଂଚଳରେ ପ୍ରବଳ ବର୍ଷା ହୋଇଛି । ଆସନ୍ତା ୨୪ଘଂଟା ମଧ୍ୟରେ ଦିଲ୍ଲୀ –ଏନସିଆର ସମେତ ଉତ୍ତରାଖଣ୍ଡରେ ଝଡବାତ୍ୟା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଏଥିପାଇଁ ସତର୍କସୂଚନା ଜାରି କରିଛି ଆଇଏମଡି ।