ଉତ୍ତରକାଶୀର କଳାଠାକୁର। ମନ୍ଦିରକୁ ଲୋକଲୋଚନକୁ ଆଣିଲେ ସବ୍ୟସାଚ୍ଚୀ-ଅର୍ଚ୍ଚିତା

2,431

କନକ ବ୍ୟୁରୋ: ଉତ୍ତରାଖଣ୍ଡ ଭଳି ପର୍ଯ୍ୟଟନ ସମୃଦ୍ଧ ରାଜ୍ୟରେ ଉପାସରେ ରହୁଥିଲେ ମହାପ୍ରଭୁ । ସପ୍ତାହକୁ ୪ ଦିନ ଅପୁଜା ରହୁଥିଲେ ଓଡ଼ିଆଙ୍କ ଆରାଧ୍ୟ ଦେବତା ପ୍ରଭୁ ଜଗନ୍ନାଥ । ତେବେ ମନ୍ଦିରର ଦୁରାବସ୍ଥା ନେଇ ଜଗନ୍ନାଥଙ୍କ ସେବାୟତ ଜନାର୍ଦ୍ଦନ ପାଟ୍ଟଯୋଶୀ ଅଭିନେତା ସବ୍ୟସାଚୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସବ୍ୟସାଚୀ ଓ ତାଙ୍କ ସ୍ତ୍ରୀ ଅର୍ଚ୍ଚିତା ପହଞ୍ଚି ସେଠାରେ ପୂଜାର୍ଚ୍ଚନା କରିଛନ୍ତି । ଦୃଷ୍ଟି ଆଢ଼ୁଆଳରେ ଥିବା ଉକ୍ତ ମନ୍ଦିରକୁ ଲୋକଲାଚନକୁ ଆଣିବାକୁ ଉଦ୍ୟମ ଆରମ୍ଭ ହୋଇଛି । ୬ ମାସ ପର୍ଯ୍ୟନ୍ତ ମନ୍ଦିରରେ ନୀତିକାନ୍ତି ନେଇ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି । ସେ ଓଡ଼ିଶା ଫେରିବା ପରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମହାପ୍ରଭୁ ଶ୍ରୀଜଗନ୍ନାଥ ସପ୍ତାହକୁ ୪ ଦିନ ଅପୂଜା ରହିବା ପ୍ରତିଟି ଜଗନ୍ନାଥପ୍ରେମୀଙ୍କ ଭାବାବେଗକୁ କୁଠାରଘାତ ହୋଇଛି । ତେଣୁ ଅନ୍ତତଃ ଯେଉଁ ଓଡ଼ିଆ ମାନେ କାଶୀ ବିଶ୍ୱନାଥଙ୍କୁ ଦର୍ଶନ ପାଇଁ ଯାଉଛନ୍ତି ସେଠାରୁ ମାତ୍ର ୬ କିଲୋମିଟର ଦୂରରେ ଥିବା ଏହି ମନ୍ଦିରକୁ ବୁଲିବାକୁ ଯାଆନ୍ତୁ ।

ସେହି ସ୍ଥାନକୁ ସୋସିଆଲ ମିଡ଼ିଆ ମାଧ୍ୟମରେ ପ୍ରଚାର ପ୍ରସାର କରନ୍ତୁ । ପର୍ଯ୍ୟଟକ ଓ ଭକ୍ତଙ୍କ ଆଗମନ ବଢ଼ିଲେ ମହାପ୍ରଭୁଙ୍କ ନୀତିକାନ୍ତି ନିୟମିତ ହୋଇପାରିବ ବୋଲି କହିଛନ୍ତି ସବ୍ୟସାଚୀ । ଏଥିସହ ନିକଟସ୍ଥ ପର୍ଯ୍ୟଟନ ଅଧିକାରୀମାନେ ଯେପରି ଏଥିପ୍ରତି ଦୃଷ୍ଟି ଦେବେ ସେନେଇ ସେ ଆଲୋଚନା କରିଥିବା ସେ କହିଛନ୍ତି । ମନ୍ଦିରର ପୂଜକଙ୍କ କହିବା ଅନୁସାରେ ଉତରାକାଶୀ ସ୍ଥିତ ସାଲଡ ଗାଁରେ ପାହାଡ଼ ଉପରେ ଥିବା ଏହି ମନ୍ଦିର ୧୨ଶହ ଖ୍ରୀଷ୍ଟାବ୍ଦର । ଆଦି ଶଙ୍କରାଚାର୍ଯ୍ୟ ଏହି ମନ୍ଦିରର ନିର୍ମାଣ କରାଇଛନ୍ତି । ତେବେ ଦାରୁ ଦିଅଁ ନୁହେଁ ଶିଳାଖଣ୍ଡ ରୂପରେ ପୂଜା ପାଉଛନ୍ତି ମହାପ୍ରଭୁ ।