କଳାହାଣ୍ଡି କଳମପୁର ବ୍ଲକରେ ଟୋକନ ନମିଳିବାକୁ ନେଇ ବଢ଼ୁଛି ଚାଷୀ ଅସନ୍ତୋଷ । ତହସିଲ ଅଫିସରେ ଧାରଣା ଦେଲେ ଚାଷୀ , ବିଧାୟକଙ୍କ ଗାଡି ଆଗରେ ଶୋଇ ଜଣାଇଲେ ପ୍ରତିବାଦ

113

କନକ ବ୍ୟୁରୋ : ମିଳୁନି ଟୋକନ, ଧାରଣା ଚାଷୀ । କଳାହାଣ୍ଡି ଜିଲ୍ଲା କଳମପୁର ବ୍ଲକ୍ରେ ଧାନ କିଣାରେ ଅବ୍ୟବସ୍ଥାକୁ ନେଇ ତୀବ୍ର ହେଉଛି ଚାଷୀ ଆନ୍ଦୋଳନ । ଗତ କିଛି ଦିନ ତଳେ ଡାଟା ବେଶରେ ନାମ ନଥିବାରୁ କଲମପୁର ପେକ୍ସ ଅଧିନରେ ଥିବା ଚାଷୀ ଟୋକନ ଦାବିରେ ରାଜରାସ୍ତାକୁ ଓହ୍ଲାଇଥିଲେ । କିନ୍ତୁ ଏ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଟୋକନ ନମିଳିବାରୁ ଗୁରୁବାର ତହସିଲ କାର୍ଯ୍ୟାଳୟ ଭିତରେ ଧାନରଖି ଉପଜିଲ୍ଲାପାଳଙ୍କ ଗାଡି ଅଟକ ରଖିଥିଲେ । ବୁଝାସୁଝା ପରେ ଉପଜିଲ୍ଲାପାଳଙ୍କ ଗାଡିକୁ ଛାଡି ଦେଇଥିଲେ । ହେଲେ ଶୁକ୍ରବାର ପୁଣି ଥରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବହୁ ସଂଖ୍ୟାରେ ଚାଷୀ ଏକତ୍ରିତ ହୋଇ ପ୍ରତିବାଦ କରିଛନ୍ତି । ତହସିଲଦାର ଚାଷୀଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ସେମାନେ ଟୋକନ ଦାବିରେ ଅଟଳ ରହିଛନ୍ତି । ଏପରିକି ଧର୍ମଗଡ ବିଧାୟକ ମୌଷଧି ବାଗ ଆନ୍ଦୋଳନ ସ୍ଥଳକୁ ଯାଇ ଚାଷୀଙ୍କୁ ବୁଝାସୁଝା କରିଥିଲେ ।

କିନ୍ତୁ ଚାଷୀମାନେ ବିଧାୟକଙ୍କ ଗାଡି ଆଗରେ ଶୋଇ ଟୋକନ ଦେବାକୁ ଦାବି କରିଥିଲେ । ଫଳରେ ବିଧାୟକ ସେଠାରୁ ଚାଲି ଯାଇଥିଲେ । ସୂଚନା ଅନୁଯାୟୀ କଳମପୁର ପେକ୍ସର ୪୮ ଜଣ ଚାଷୀଙ୍କ ନାମ ଡାଟାବେଶରେ ନଥିଲା । ଏହାକୁ ସୁଧାରିବା ସହ ଧାନ ବିକ୍ରି ପାଇଁ ଟୋକନ ଦେବାକୁ ବାରମ୍ବାର ଦାବି କରି ଆସୁଛନ୍ତି । କିନ୍ତୁ ଆଜି କାଲି କହି ସମୟ ଗଡାଇ ଚାଲିଥିଲେ ପ୍ରଶାସନ । ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ସେହିପରି ଦୁଲକୀ ବନ୍ଧ ମଣ୍ଡିରେ ମଧ୍ୟ ଧାନ କିଣାରେ ଅବ୍ୟବସ୍ଥା ଯୋଗୁଁ ଚାଷୀମାନେ ଜୟପାଟଣା- ମୋଟେର ରାସ୍ତାକୁ ଦୁଲକି ବନ୍ଧ ଛକରେ ଅବରୋଧ କରିଥିଲେ । ଧାନ କିଣା ଆରମ୍ଭ ହେବା ପରେ ଚାଷୀ ରାସ୍ତାରୋକ ପ୍ରତ୍ୟାହାର କରିଥିବା ଜଣାପଡିଛି ।