କଳାହାଣ୍ଡିର କାଠଚୁଲି ମିଠା, ବିଭିନ୍ନ ପ୍ରକାରର ଫୁଲ ଓ ଗଂଜା ଆକୃତିର ମିଠା ପ୍ରସ୍ତୁତ କରୁଛନ୍ତି କାରିଗର

153

କନକ ବ୍ୟୁରୋ : ରାଜ୍ୟର କିଛି ସ୍ଥାନରେ ସ୍ୱତନ୍ତ୍ର ପ୍ରକାରର ମିଠା ଏବଂ ଖାଇବା ଜିନିଷ ମିଳିଥାଏ । ଯେମିତିକି ନିମାପଡ଼ା ଛେନାଝିଲି, କେନ୍ଦ୍ରାପଡ଼ା ରସାବଳୀ, କଟକ ଦହିବରା । ସେହିଭଳି କଳାହାଣ୍ଡି ଜିଲ୍ଲାରେ କାଠ ଚୁଲିରେ ପ୍ରସ୍ତୁତ ହେଉଥିବା ଏକ ସ୍ୱତନ୍ତ୍ର ପ୍ରକାରର ମିଠାର ଚାହିଦା ରହିଛି । ଧର୍ମଗଡ଼ ଅଂଚଳର କିଛି କାରିଗର ପରିବାର ଏହି ମିଠା ପ୍ରସ୍ତୁତ କରି କିଛି ରୋଜଗାର କରନ୍ତି । କଳାହାଣ୍ଡି ଧର୍ମଗଡ଼ ବସ୍ତିପଡ଼ାରେ ଦୀର୍ଘ ଦିନ ହେଲା କାରିଗର ମାନେ ଏହାକୁ ପ୍ରସ୍ତୁତ କରିଆସୁଛନ୍ତି । ଏହି ମିଠା ଏକ ସ୍ୱତନ୍ତ୍ର ଛାଂଚରେ ପ୍ରସ୍ତୁତ କରାଯାଏ । ପୂର୍ବରୁ ପ୍ରସ୍ତୁତ ହୋଇଥିବା ମିଠା ସାମଗ୍ରୀ ଏହି ଛାଂଚରେ ପକାଇ ସ୍ୱତନ୍ତ୍ର ଆକୃତିର ତିଆରି କରାଯାଏ ।

କଳାହାଣ୍ଡି ଜିଲ୍ଲାର ପ୍ରାୟ ସବୁ ଅଂଚଳରେ ଏହି ମିଠା ମିଳିଥାଏ । କୌଣସି ପର୍ବପର୍ବାଣି ହେଉ କିମ୍ବା ଯାତ୍ରା ସମୟରେ ଏହାର ଚାହିଦା ବଢ଼ିଯାଏ । କଳାହାଣ୍ଡି ସହିତ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଅଂଚଳର ବ୍ୟବସାୟୀ ମାନେ ଏହି ମିଠା କାରିଗରଙ୍କ ଠାରୁ କିଣି ନେଇ ବିକ୍ରି କରନ୍ତି । ଏହି ମିଠା କାରିଗର ଓ ବ୍ୟବସାୟୀ ଜୀବୀକା ଦେଉଛି ସତ ହେଲେ କିଛି ପ୍ରୋତ୍ସାହନ ମିଳୁନଥିବାରୁ ସେମାନେ ଦୁଃଖ ପ୍ରକାଶ କରିଛନ୍ତି ।