ଥୁଆମୁଳରାମପୁର ବ୍ଲକ ଉପାନ୍ତ ଗାଁର ଗର୍ଭବତୀ ମହିଳାଙ୍କ ଭରସା ବାଇକ୍ ଆମ୍ବୁଲାନ୍ସ । ୨୦୧୭ରୁ ଏବେ ସୁଦ୍ଧା ୧୭ଶହରୁ ଅଧିକ ଗର୍ଭବତୀଙ୍କୁ ଆଣିଛି ମା’ ଗୃହକୁ

76

କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଥୁଆମୂଳ ରାମପୁର ବ୍ଲକ । ଅନେକ ସମୟରେ ଗଣମାଧ୍ୟମରେ ଖବର ପାଲଟୁଥିବା ବଣ ପାହାଡ ଘେରା ଅଂଚଳ । ଏହି ବ୍ଲକର ଅନେକ ସ୍ଥାନକୁ ଏଯାଏଁ ଭଲ ରାସ୍ତାଟିଏ ଯୋଡି ପାରିନାହିଁ । ପାହାଡି ରାସ୍ତା ଏକ ମାତ୍ର ଭରସା । ଏହି ଅପହଂଚ ଇଲାକାରେ ସ୍ୱାସ୍ଥ୍ୟ ସେବା ପହଂଚାଇବାରେ ସେତୁ ପାଲଟଛି ବାଇକ୍ ଆମ୍ବୁଲାନ୍ସ । ଜାତୀୟ ସ୍ୱାସ୍ଥ୍ୟ ମିଶନ ସହାୟତାରେ ସାଇସୁରନି ଠାରେ ବାଇକ୍ ଆମ୍ବୁଲାନ୍ସ ଓ ମା’ ଗୃହ କରାଯାଇଛି । ୬ ଶଯ୍ୟା ବିଶିଷ୍ଟ ସାଇସୁରନି ମା’ ଗୃହରେ ବର୍ଷକୁ ୨୫୦ରୁ ୩ଶହ ଗର୍ଭବତୀ ମହିଳାଙ୍କୁ ସେବା ଯୋଗାଉଛି ।

୧୨୦ଟି ଗାଁରୁ ଗର୍ଭବତୀ ଓ ପ୍ରସୂତି ମହିଳାଙ୍କୁ ଡାକ୍ତରଖାନା ଆଣୁଛି ବାଇକ୍ ଆମ୍ବୁଲାନ୍ସ । ଗୁଣପୁର, ବାଲିସରା, କାଣିଗୁମ୍ମା, କର୍ଲାପାଟ, କିଆପଦର, ନାକରୁଣ୍ଡି ଏବଂ କେରପାଇ ଭଳି ୭ଟି ସେଂଟରରୁ ବାଇକ୍ ଆମ୍ବୁଲାନ୍ସ ଯୋଗେ ମା’ ଗୃହକୁ ଅଣାଯାଉଛି । ସେଠାରେ କିଛି ଦିନ ରଖି ସେବାଯତ୍ନ ସହ ଖାଦ୍ୟପେୟ ବ୍ୟବସ୍ଥା କରି ପ୍ରସବ ଗୃହକୁ ପଠାଯାଉଇଛି । ଆବଶ୍ୟକ ସ୍ଥଳେ ଥୁଆମୂଳ ରାମପୁର ସ୍ୱାସ୍ଥ୍ୟକେନ୍ଦ୍ର କିମ୍ବା ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଉଛନ୍ତି ମା’ ଗୃହ କର୍ତ୍ତୃପକ୍ଷ । ଏବେ ସୁଦ୍ଧା ପ୍ରାୟ ୧୭ଶହରୁ ଅଧିକ ଗର୍ଭବତୀଙ୍କୁ ମା’ ଗୃହକୁ ଆଣିଥିବା ବାଇକ୍ ଆମ୍ବୁଲାନ୍ସର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଛି କାରଡ଼ା ସଂସ୍ଥା । ନୀରବଚ୍ଛିନ୍ନ ସେବା ଯୋଗାଉଥିବାରୁ ବାଇକ୍ ଆମ୍ବୁଲାନ୍ସ ଚାଳକ ଡମ୍ବରୁଧର ଚଣ୍ଡିଙ୍କୁ ଚଳିତ ବର୍ଷ କଳାହାଣ୍ଡି ଉତ୍ସବରେ ସମ୍ମାନିତ କରିଛି ଜିଲ୍ଲା ପ୍ରଶାସନ ।