କନକ ବ୍ୟୁରୋ : ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ବିଜୟ ଫର୍ମୁଲା । ଅଧିକାଂଶ ସାଂସଦ ହୋଇପାରନ୍ତି ବିଧାୟକ ପ୍ରାର୍ଥୀ । ଆଗାମୀ ସାଧାରଣ ନିର୍ବାଚନ ପାଇଁ ବିଜେପି କିଛି ଏହିଭଳି ରଣନୀତି କରୁଛି । କୁହାଯାଉଛି ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ବିଜେପିର ପ୍ରାର୍ଥୀ ତାଲିକାରୁ ଏହି ସଂକେତ ମିଳିଛି । ଯଦି ଏମ୍ପି ଫର୍ମୁଲା ଓଡିଶାରେ ବିଜେପି ପ୍ରୟୋଗ କରେ, ତାହାହେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କୁ ପୁଣି ନୂଆପଡା ଫେରାଇ ଅଣିବା ସମ୍ଭାବନା ଅଧିକ । ୨୦୧୯ ନିର୍ବାଚନରେ ବିଜେଡି ହେଭିୱେଟ୍ ପଷ୍ପେନ୍ଦ୍ର ସିଂଦେଓଙ୍କୁ ହରାଇ କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ଗେରୁଆ ବାନା ଉଡାଇଥିଲେ ବସନ୍ତ ପଣ୍ଡା । ଜିଲ୍ଲାର ବିକାଶ ପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଅନେକ କିଛି କରିଥିବା ଦାବି କରିଛନ୍ତି । ହେଲେ ବିଜେପି ଏକ କ୍ୟାଡର ଭିତିକ ଦଳ ହୋଇଥିବାରୁ ତାଙ୍କୁ ଯାହା ଦାୟିତ୍ୱ ମିଳିବ ସେ ନିର୍ବାହ କରିବେ ବୋଲି କହିଛନ୍ତି  ।

Advertisment

ଏପଟେ କଳାହାଣ୍ଡିରେ ବଳ ଗୋଟାଇବା ଆରମ୍ଭ କରିଛି ବିଜେପି । ଭୁବନେଶ୍ୱରସ୍ଥିତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି ବିଜେଡିର ପୂର୍ବତନ ସାଂସଦ ଅର୍କକେଶରୀ ଦେଓ ଏବଂ ତାଙ୍କ ପତ୍ନୀ ମାଳବିକା ଦେଓ । ଅର୍କକେଶରୀଙ୍କ ବାପା ବିକ୍ରମ କେଶରୀ ଦେଓ ପୂର୍ବରୁ କଳାହାଣ୍ଡି ସାଂସଦ ଥିଲେ । ବାପାଙ୍କ ଦେହାନ୍ତ ପରେ ୨୦୧୩ରେ ବିଜେପି ପରିବର୍ତେ ବିଜେଡି ଶିବିରରେ ଯୋଗ ଦେଇଥିଲେ ଅର୍କକେଶରୀ । ୨୦୧୪ରେ ବିଜେଡି ଟିକେଟରେ ଜିତି ଲୋକସଭାକୁ ନିର୍ବାଚିତ ହୋଇଥିଲେ । ହେଲେ ୨୦୧୯ରେ ଅର୍କେଶଙ୍କ ଟିକେଟ୍ କାଟି ପୁଷ୍ପେନ୍ଦ୍ର ସିଂଦେଓଙ୍କୁ ଲଢାଇଥିଲା ବିଜୁ ଜନତା ଦଳ । ବିଜେଡିକୁ ଏହି ଆସନ ହରାଇବାକୁ ପଡିଲା । ଆଉ ଏବେ ପୁଣି ବିଜେପିରେ ଅର୍କକେଶରୀଙ୍କ ଯୋଗଦାନ ବିଜେଡିର ଚିନ୍ତା ବଢାଇ ଦେଇଛି । ଯଦି ବସନ୍ତ ପଣ୍ଡା ନୂଆପଡା ବିଧାନସଭା ଆସନରୁ ଲଢନ୍ତି, ତେବେ ଅର୍କେକେଶରୀ କିମ୍ବା ଭବାନୀପାଟଣାର ଟାଣୁଆ ବିଧାୟକ ପ୍ରଦୀପ୍ତ ନାୟକଙ୍କୁ କଳାହାଣ୍ଡି ଲୋକସଭା ଆସନରେ ବିଜେପି ଓହ୍ଲାଇପାରେ ବୋଲି ଚର୍ଚ୍ଚା ହେଉଛି ।

ଅନ୍ୟପଟେ ଅର୍କେଶଙ୍କ ପତ୍ନୀ ମାଳବିକା ମଧ୍ୟ ଜୁନାଗଡ ବିଧାନସଭା ଆସନରୁ ବିଜେପି ଟିକେଟରେ ଲଢିପାରନ୍ତି ବୋଲି ଆକଳନ କରାଯାଉଛି । ମମିତା ମେହେର ହତ୍ୟାକାଣ୍ଡ ପରଠାରୁ ବିବାଦରେ ଅଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ତେଣୁ ଆଗାମୀ ନିର୍ବାଚନରେ ବିଜେପି ଏଠାରେ ମାଳବିକାଙ୍କୁ ପ୍ରାର୍ଥୀ କରି ବିଜେଡିକୁ ଜୋରଦାର ଟକ୍କର ଦେବା ଆଶା କରାଯାଉଛି ।