ସ୍ୱାମୀଙ୍କୁ ଟିକେଟ ନ ମିଳିଲେ, ମହିଳା ପ୍ରାର୍ଥୀ ଭାବେ ମୋତେ ମିଳୁ ସୁଯୋଗ  । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ମନର କଥା କହିଲେ କଳାହାଣ୍ଡି ସାଂସଦ ଅର୍କକେଶରୀଙ୍କ ପତ୍ନୀ ମାଳବିକା

340

କନକ ବ୍ୟୁରୋ : କଳାହାଣ୍ଡିରେ କାହାକୁ ମିଳିବ ବିଜେଡି ଟିକେଟ୍ । ଗୋଟିଏ ପଟେ ଦଳ ମହିଳା ପ୍ରାର୍ଥୀ ଖୋଜୁଥିବା ନେଇ ଚର୍ଚ୍ଚା ଚାଲିଥିବା ବେଳେ ଆଜି ନବୀନ ନିବାସରେ ପହଁଚିଥିଲେ ସାଂସଦ ଅର୍କ କେଶରୀ ଦେଓଙ୍କ ପତ୍ନୀ ମାଳବିକା ଦେଓ । ଯଦି ସ୍ୱାମୀ ଅର୍କ କେଶରୀଙ୍କୁ ଟିକେଟ୍ ନମିଳେ, ତେବେ ତାଙ୍କୁ ଟିକେଟ୍ ଦେବା ପାଇଁ ଦାବି ଜଣାଇଥିଲେ ମାଳବିକା । ସେପଟେ କଳାହାଣ୍ଡି ଲୋକସଭା ଆସନ ପାଇଁ ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି ।

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ତାଲିକାରେ ରହିଛି କଳାହାଣ୍ଡି ଲୋକସଭା ଆସନ । ମାର୍ଚ୍ଚ ୧୮ରୁ ୨୫ ତାରିଖ ସୁଦ୍ଧା ନାମାଙ୍କନ ଦାଖଲ କରିବାକୁ ଥିବାରୁ ଟିକେଟ ପାଇଁ ଆରମ୍ଭ ହୋଇଯାଇଛି କସରତ । ୨୦୧୪ ନିର୍ବାଚନରେ ବିଜେଡିରୁ ରାଜାପୁଅ ଅର୍କ କେଶରୀ ଦେଓ ଜିତିଥିବା ବେଳେ ଏଥର କାହାକୁ ଟିକେଟ ମିଳିବ ସେ ନେଇ ଜୋରଦାର ହୋଇଛି ଲବି । ଏଥର ଏହି ଆସନରୁ ମହିଳାଙ୍କୁ ପ୍ରାର୍ଥୀ କରାଯିବା ନେଇ ଚର୍ଚ୍ଚା ହେଉଥିବାରୁ ନବୀନ ନିବାସ ଆସି ଦଳ ସୁପ୍ରିମୋଙ୍କୁ ଭେଟିଛନ୍ତି ଅର୍କଙ୍କ ପତ୍ନୀ ତଥା ମାଳବିକା ଦେଓ । ନବୀନଙ୍କୁ ଭେଟି ଫେରିବା ପରେ ମାଳବିକା କହିଛନ୍ତି ଯଦି ଏଥର ଅର୍କଙ୍କ ବଦଳରେ ମହିଳାଙ୍କୁ ପ୍ରାର୍ଥୀ କରାଯାଏ, ତେବେ ସେ ଏହି ଆସନରୁ ଲଢ଼ିବାକୁ ଆଗ୍ରହୀ ।

ଏହି ଲୋକସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ଦୌଡରେ ରହିିଛି ଧର୍ମଗଡ ବିଧାୟକ ପୁଷ୍ପେନ୍ଦ୍ର ସିଂଦେଓଙ୍କ ନାଁ । ପୁଷ୍ପେନ୍ଦ୍ର ଧର୍ମଗଡ ବିଧାନସଭା ଆସନରୁ ଦୁଇ ଦୁଇଥର ବିଧାୟକ ହେବା ସହ ଜିଲ୍ଲାର ଭଲ ସଂଗଠକ ଭାବେ ଜଣାଶୁଣା । ତେବେ ଦଳ ଯାହା ନିଷ୍ପତି ନେବ ତାହା ସେ ଗ୍ରହଣ କରିବେ ବୋଲି କହିଛନ୍ତି ପୁଷ୍ପେନ୍ଦ୍ର ।  ବିଜେଡିରେ ବଦଳୁଥିବା ରାଜନୈତିକ ସମୀକରଣ ଅନୁଯାୟୀ ଏଥର କିଛି ପୁରୁଣା ମୁହଁ ଯିବେ ଓ ନୂଆ ଚେହେରା ଆସିବେ ମଇଦାନକୁ । ଏସବୁ ଚର୍ଚ୍ଚା ଭିତରେ କାହାର ଟିକେଟ କଟିବ ଆଉ କାହାକୁ ମିଳିବ ଟିକେଟ୍, ତାହା ସମସ୍ତଙ୍କ ଉକ୍ରଣ୍ଠା ବଢ଼ାଇ ଦେଇଛି ।