ଖାକି ପୋଷାକର ପରିବେଶ ଚିନ୍ତା : କଳାହାଣ୍ଡିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପରେ ପୋଲିସ ଉଠାଇଲା ଲୋକ ଫିଙ୍ଗିଥିବା ପାଣି ବୋତଲ

125

କନକ ବ୍ୟୁରୋ : ପୋଲିସ ଉଠାଇଲା ପାଣି ବୋତଲ । ଏଭଳି ଏକ ଖବର ଆପଣଙ୍କୁ ଚକିତ କରିପାରେ । କାରଣ ଖାକି ବର୍ଦ୍ଦିକୁ ଦେଖିଲେ ଲୋକଙ୍କ ମନରେ ଭୟ ସୃଷ୍ଟି ହୁଏ । ଏବଂ ଆଇନ ଶୃଙ୍ଖଳା ରକ୍ଷା ପାଇଁ ନିୟୋଜିତ ହେଉଥିବା ପୋଲିସ, କାହାରି ପାଣି ବୋତଲ ଉଠାଇବ କାହିଁକି ? । ଖାକି ପୋଷାକରେ ଥିବା ପୋଲିସ କେମିତି ଅଳିଆ ସଫା କରିବାରେ ବ୍ୟସ୍ତ । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଅଂଚଳର ।

ଗତକାଲି ଏଠାକୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟକାର୍ଡ ବାଂଟିବାକୁ ଆସିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେଥିପାଇଁ ହିତାଧିକାରୀଙ୍କୁ ମଧ୍ୟ ଏଠାକୁ ଡକା ଯାଇଥିଲା । ହେଲେ ଗତକାଲି କାର୍ଯ୍ୟକ୍ରମ ଶେଷ ହୋଇଯିବା ପରେ ପୁରା ଅଂଚଳରେ ପଡି ରହିଥିଲା ଏହିଭଳି ଖାଲି ପାଣି ବୋତଲ । ଅର୍ଥାତ ଲୋକେ ପାଣି ପିଇବା ପରେ ବୋତଲକୁ ଏଣେତେଣେ ଫିଙ୍ଗି ଦେଇଥିଲେ । ଯାହା ପ୍ରଥମେ ଜିଲ୍ଲାର ଜଣେ ଯୁବ ଆଇପିଏସ ଅଫିସରଙ୍କ ନଜରରେ ପଡିଥିଲା । ସେ ହେଉଛନ୍ତି କେସିଙ୍ଗା ଡିଏସପି ଏ. ସ୍ୱାତୀ । ପ୍ରଥମେ ସେ କେତେକ ପୋଣି ବୋତଲକୁ ଗୋଟାଇ ଅଳିଆ ସଫା କରିବାକୁ ଲାଗିଲେ । ଏହା ଦେଖି ତାଙ୍କ ସାଥୀ କର୍ମଚାରୀ ମଧ୍ୟ ସହଯୋଗ କରିଥିଲେ ।

ଆଉ ଦେଖୁଦେଖୁ ସେଠାରେ ମୁତୟନ ସମସ୍ତ ପୋଲିସ କର୍ମଚାରୀ ପୁରା ଅଂଚଳରେ ପଡି ରହିଥିବା ବୋତଲ ଗୁଡିକୁ ସଫା କରି ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଳେ ଆଇନ ଶୃଙ୍ଖଳା ରକ୍ଷା କରିବାକୁ ସକାଳ ପ୍ରାୟ ୬ଟାରୁ ଏମାନେ ଏଠାରେ ମୁତୟନ ହୋଇଥିଲେ । ଆଉ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ସରିବା ପରେ ପୋଲିସ ଯେଉଁ କାମ କରିଛି ସେହି ଦୃଶ୍ୟ ଆପଣଙ୍କ ଟିଭି ପରଦା ଉପରେ । ଏହାକୁ ଦେଖିବା ପରେ ହୁଏତ ପୋଲିସକୁ ନେଇ ଆପଣଙ୍କ ମନରେ ରହିଥିବା ଧରାଣା ଦୂର ହୋଇପାରେ । ପୋଲିସ ପ୍ରତି ସମ୍ମାନ ଓ ଶ୍ରଦ୍ଧା ଆହୁରି ବଢି ଯାଇପାରେ ।