କେନାଲରୁ ମିଳିଲା ନିଖୋଜ ଯୁବକର ମୃତଦେହ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ 

111

କନକ ବ୍ୟୁରୋ : କେନାଲରୁ ମିଳିଲା ନିଖୋଜ ଯୁବକର ମୃତଦେହ । କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଂଚଳର ଠେଲକୋମୁଣ୍ଡା ନିକଟରୁ ମୃତଦେହ ଉଦ୍ଧାର କରିଛି କୁଟୁରୁ ପୁଲିସ । ମୃତକ ଜୟପାଟଣାର ସୀମାଂଚଳ ମହାପାତ୍ର ବୋଲି ପୁଲିସ ଚିହ୍ନଟ କରିଛି । ମୃତଦେହର ମୁଣ୍ଡ ଓ ଅଂଟାରେ ଗଭୀର କ୍ଷତ ଚିହ୍ନ ରହିଥିବା ବେଳେ ମୃତ୍ୟୁର କାରଣ ଜଣାପଡି ନାହିଁ ।

ଆଜି ସକାଳେ ମୃତକଙ୍କ ପରିବାର ପକ୍ଷରୁ ନିଖୋଜ ନେଇ ଏତଲା ଦିଆଯାଇଥିଲା । ହେଲେ ଦିନରେ ଇନ୍ଦ୍ରାବତୀ କେନାଲର ଜଳତାମୁଣ୍ଡା ଦିଷ୍ଟିବୁଟାରି କେନାଲରେ ମୃତଦେହ ଭାସୁଥିବା ଦେଖି ପୁଲିସକୁ ଖବର ଦେଇଥିଲେ ସ୍ଥାନୀୟ ବାସିନ୍ଦା । ସୂଚନା ପାଇ ପୁଲିସ କେନାଲରୁ ମୃତଦେହ ଉଦ୍ଧାର କରି ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । କେନାଲ ନିକଟରୁ ମୃତ ସୀମାଂଚଳଙ୍କ ପେନ ଓ କଟୁରୀ ଜବତ କରିଛି ପୁଲିସ । ଅନ୍ୟପଟେ ପରିବାର ଲୋକ ସୀମାଂଚଳକୁ ହତ୍ୟା କରି କେନାଲରେ ଫିଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି । ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରୁଛି ।