ଅନିଶ୍ଚିତା ଭିତରକୁ ଚାଲିଗଲା କଳାହାଣ୍ଡିର ମେଡ଼ିକାଲ କଲେଜ ସ୍ୱପ୍ନ : ବେଦାନ୍ତ ସହ ଚୁକ୍ତି ବାତିଲ ପରେ ଦ୍ୱିତୀୟ ଥର ପାଇଁ ଝଟକା ଖାଇଲେ କଳହାଣ୍ଡିବାସୀ

186

କନକ ବ୍ୟୁରୋ : କଳାହାଣ୍ଡିରେ ଏକ ମେଡିକାଲ କଲେଜ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ୨୦୧୬ରେ ଘୋଷଣା କରିବା ପରେ ୨୦୧୮ରେ ବେଦାନ୍ତ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷର ହୋଇଥିଲା । ୫ ଶହ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ପାଇଁ ପ୍ରାଥମିକ ଆବଶ୍ୟକ ୩୫୦ କୋଟିରୁ ସରକାର ୨୫୦ କୋଟି ତଥା ବେଦାନ୍ତ ୧୦୦ କୋଟି ଟଙ୍କା ପ୍ରଦାନ ପାଇଁ ଚୁକ୍ତି ରହିଥିଲା । ସରକାର ଦେଇଥିବା ଅନୁଦାନରେ ମେଡିକାଲ କଲେଜର ନିର୍ମାଣ ଜାରି ରହିଛି । କିନ୍ତୁ ହଠାତ ସରକାର ବେଦାନ୍ତ ଦେବାକୁ ଥିବା ୧୦୦ କୋଟି ଟଙ୍କାର ବିଳମ୍ବ ଯୋଗୁଁ ଚୁକ୍ତି ବାତିଲ ଘୋଷଣା କରିଛନ୍ତି ।

ଫଳରେ କଳାହାଣ୍ଡିରେ ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ପୁଣି ଅନିଶ୍ଚିତତା ଦେଖାଯାଇଛି । ପୂର୍ବରୁ ୨୦୦୯ରେ ଜାରିଙ୍ଗଠାରେ ତାମିଲନାଡୁର ସେଲଭମ ଚାରଟେବୁଲ ଟ୍ରଷ୍ଟ ଓ ପଶ୍ଚିମ ଓଡିଶା ବିକାଶ ପରିଷଦର ପିପିପି ମୋଡରେ ମେଡିକାଲ କଲେଜ ଆରମ୍ଭ ପରେ ବନ୍ଦ ହୋଇସାରିଛି । ଏବେ ଆଉ ଏକ ମେଡିକାଲ କଲେଜ ଆରମ୍ଭ ହେବା ପୂର୍ବରୁ ଚୁକ୍ତି ବାତିଲ ହୋଇସାରିଛି । ଫଳରେ ଜିଲ୍ଲାର ବହୁ ପ୍ରକଳ୍ପ ପରି ଏହା ମଧ୍ୟ ଅନ୍ଧାର ଭିତରକୁ ଠେଲି ହୋଇଯାଇଥିବା କୁହାଯାଉଛି ।