କନକ ବ୍ୟୁରୋ: ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରୁ ପ୍ରତିବର୍ଷ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ହୋଇଥାଏ । ହେଲେ ବିକ୍ରିବଟା ପାଇଁ ବ୍ୟବସ୍ଥା ନଥିବାରୁ ଅନେକ ସମୟରେ ଶାଗମାଛ ଦରରେ ବିକ୍ରି କରିବାକୁ ବାଧ୍ୟ ହୋଇଥାଏ ଚାଷୀ । କିନ୍ତୁ ଚଳିତ ବର୍ଷ ଓରମାସ ପକ୍ଷରୁ ଆମ୍ବ ବିକ୍ରି ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ବିଭିନ୍ନ କିଶମର ୩୦୦ ଟନ ଆମ୍ବ ଦିଲ୍ଲୀ ପଠାଇଛି ଓରମାସ । ଯାହା ଚାଷୀଙ୍କ ପାଇଁ ବେଶ ସହାୟକ ହେବ ବୋଲି କୁହାଯାଉଛି ।

Advertisment

ସାରା ଦେଶ ଚାଖିବ କଳାହାଣ୍ଡି ଜିଲ୍ଲାରେ ଉତ୍ପାଦନ ହେଉଥିବା ଆମ୍ବ । ଆଉ ଲାଭବାନ ହେବେ କଳାହାଣ୍ଡି ଜିଲ୍ଲାର ଚାଷୀ । ଆମ ଗାଁ ଆମ୍ବ ପସରା ମାଧ୍ୟମରେ ଦିଲ୍ଲୀ ଯାଇଛି କଳାହାଣ୍ଡି ଆମ୍ବ । ଓରମାସ ପକ୍ଷରୁ ଜିଲ୍ଲାର ନର୍ଲା, ଲାଂଜିଗଡ଼, ଭବାନୀପାଟଣା ଥୁଆମୂଳ ରାମପୁର ବ୍ଲକର ଚାଷୀଙ୍କ ସହ ଯୋଗାଯୋଗ କରି ୩୦୦ ଟନ ଆମ୍ବ ପଠାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ପ୍ରଚୁର ପରିମାଣର ଆମ୍ବ ଫଳିଥିବା ବେଳେ ୭ଲକ୍ଷରୁ ଅଧିକ ଟଙ୍କାର ଆମ୍ବ ବିକ୍ରି କରିଛି ଓରମାସ ।

ଓରମାସର ସହଯୋଗରେ କଳାହାଣ୍ଡିର ଆମ୍ବ ଟିଟଲାଗଡ଼ ଷ୍ଟେସନରୁ ବାହାରି ଦିଲ୍ଲୀ ଯାଇଛି । ଆମ୍ବ ପ୍ୟାକେଟ ଗୁଡ଼ିକରେ ଓଡ଼ିଶା ପ୍ୟାକେଟ୍ ଲେଖାଯାଇଛି । କଳାହାଣ୍ଡି ଆମ୍ବର ସ୍ୱାଦିଷ୍ଟ ଅଧିକ ରହିଥିବାରୁ ଦିଲ୍ଲୀରେ ଏହାର ଚାହିଦା ବଢ଼ୁଛି । ତେଣୁ ଅଧିକରୁ ଅଧିକ ଆମ୍ବ ଦିଲ୍ଲୀ ପଠାଯିବ ବୋଲି ଜଣାପଡ଼ିଛି । କଳାହାଣ୍ଡି ଫୁଡ ଆଣ୍ଡ କ୍ରାପ୍ଟ ପ୍ରଡ଼୍ୟୁସର କମ୍ପାନୀ ଏହି ଆମ୍ବ ବିକ୍ରିର ଦାୟିତ୍ୱ ନେଇଛି । ପ୍ରଥମ ପର୍ଯ୍ୟାୟରେ ଲେଙ୍ଗଡା, ଆମ୍ରପଲି, ମଲ୍ଲିକା, ଜାହାଙ୍ଗୀର, ଗୁଲବଖସ, ବାଇଗଣ ପଲେଇ, କଳାପାହାଡ଼ ଭଳି ୧୦ଟି କିସମର ଆମ୍ବ ପଠାଯାଇଛି ।

ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ପ୍ରଜାତିର ସ୍ୱାଦିଷ୍ଟ ଆମ୍ବ ଉତ୍ପାଦନ ହେଉଥିବା ବେଳେ ବଜାର ବ୍ୟବସ୍ଥା ନଥିବାରୁ ଶାଗମାଛ ଦରରେ ବିକ୍ରି କରି ଚାଷୀ କ୍ଷତି ସହୁଥିଲେ । ଜିଲ୍ଲାର ଥୁଆମୂଳ ରାମପୁର, ଭବାନୀପାଟଣା, ଲାଞ୍ଜିଗଡ଼ ଅଂଚଳରେ ପ୍ରଚୁର ପରିମାଣର ଆମ୍ବ ଉତ୍ପାଦନ ହୋଇଥାଏ । ଆଉ ଏଭଳି ଏକ ପ୍ରୟସ ଚାଷୀଙ୍କୁ ଲାଭ ଦେବ ବୋଲି କୁହାଯାଉଛି ।