ନାହିଁ ନାହିଁର ଆଦିବାସୀ ଗାଁ କଳାହାଣ୍ଡିର ଭିତରପଣ୍ଡି । ଆଦିବାସୀ ମଣିଷ ଠାରୁ ଅନେକ ଦୂରରେ ମୌଳିକ ସୁବିଧା । 

102

କନକ ବ୍ୟୁରୋ : ନାହିଁ ନାହିଁର ଆଦିବାସୀଗାଁ କଳାହାଣ୍ଡିର ଭିତରପଣ୍ଡି । ସରଳ, ନିଷ୍କପଟ ଆଦିବାସୀ ମଣିଷ ଠାରୁ ଅନେକ ଦୂରରେ ମୌଳିକ ସୁବିଧା । ନା ଅଛି ପିଇବା ପାଣିର ସୁବିଧା, ନା ଶିକ୍ଷା ଓ ଗମନାଗମନ ଭଳି ମୌଳିକ ସୁବିଧା । କେବଳ ବିଜୁଳିକୁ ଛାଡି ଦେଲେ ଆଉ କୌଣସି ସରକାରୀ ଯୋଜନା ପହଞ୍ଚି ପାରିନାହିଁ ଏହି ଜଙ୍ଗଲ ଘେରା ଗାଁରେ ।

ନାହିଁ ନାହିଁର ଆଦିବାସୀ ଗାଁ । ବିକାଶ ଖୋଜୁଛି ଭିତରପଣ୍ଡି, ବିକାଶ ବାଟରେ ନାଳ ବାଧକ । ଚାରିଆଡେ ନଦୀ, ନାଳ ଆଉ ଜଙ୍ଗଲ । ସବୁଜିମା ଭରା ଜଙ୍ଗଲ ଭିତରେ ରୁହନ୍ତି ସରଳ ନିଷ୍କପଟ ଆଦିବାସୀ ମଣିଷ । ନାଲି ମାଟିର କାନ୍ଥକୁ ଖପରା ଛପର ଘର । ଗାଁ ଭିତରେ ଅଛି କଂକ୍ରିଟ୍ ରାସ୍ତା, କିନ୍ତୁ ଗାଁକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା କହିଲେ ନସରେ । ଗାଁ ମୁଣ୍ଡରେ ଥିବା ନାଳ ଡେଇଁ ଗାଁର କଂକ୍ରିଟ୍ ରାସ୍ତା ସହ ଯୋଡି ହୋଇପାରିନାହିଁ ପିଚୁ ରାସ୍ତା । ତେଣୁ ଗମନାଗମନ ଭଳି ଅନେକ ମୌଳିକ ସୁବିଧାରୁ ବଞ୍ଚିତ କଳାହାଣ୍ଡି ଜୟପାଟଣା ବ୍ଲକର ଭିତରପଣ୍ଡି ଗ୍ରାମବାସୀ । ପିଡିଏସ ସାମଗ୍ରୀ ପାଇଁ ନଦୀରେ ପଶି ଗାଁ ଠାରୁ ୫ କିଲୋମିଟର ଦୂର ଧନସୁଲି ପଞ୍ଚାୟତକୁ ଯିବାକୁ ପଡୁଛି ।

ଜୟପାଟଣାରୁ ୧୧ କିଲୋମିଟର ଆଗକୁ ଗଲେ ଜଙ୍ଗଲ ପାଦଦେଶରେ ପଡେ ଭିତରପଣ୍ଡି ଗାଁ । ୨୨ଟି ଆଦିବାସୀ ପରିବାର ରହୁଥିବା ଏହି ଗାଁଟି ନାହିଁ ନାହିଁରେ ଆଗକୁ ବଢୁଛି । ଏଠି ଶିକ୍ଷାର ବିକାଶ ପାଇଁ ଅଙ୍ଗନୱାଡି କେନ୍ଦ୍ର କି ସ୍କୁଲଟିଏ ନାହିଁ । ପାଣ୍ଡି ନଦୀ ଡେଇଁ ପାଠ ପଢିବାକୁ ଯାଇ ପାରୁନାହାନ୍ତି ପିଲା । ତେଣୁ ସମୟ ବିତୁଛି ଜଙ୍ଗଲ ଭିତରେ ଖେଳକୁଦରେ ।

କେବଳ ବିଦ୍ୟୁତ୍ ସେବାକୁ ଛାଡିଦେଲେ ଏଠି ଗମନାଗମନ, ଶିକ୍ଷା, ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ସବୁ ବିପର୍ଯ୍ୟସ୍ତ । ଭିତରପଣ୍ଡିର ଆଦିବାସୀଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଚେରମୂଳୀ ଓ କବିରାଜ ଭରସା । ଏହି ଅବହେଳିତ ଗାଁକୁ ଦେଖିଲେ, ମନରେ ପ୍ରଶ୍ନ ଆସେ, କୁଆଡେ ଯାଉଛି ସରକାରଙ୍କ ଆମ ଗାଁ ଆମ ବିକାଶ ଯୋଜନା ? କେବେ ଆଦିବାସୀ ମୁଲକରେ ଉଇଁବ ବିକାଶର ସୂର୍ଯ୍ୟ? କେବେ ଆଧୁନିକତାର ଆଲୁଅ ଦେଖିବ ଭିତରପଣ୍ଡି ଗାଁ ?