କନକ ବ୍ୟୁରୋ : କଳାହାଣ୍ଡି ଜିଲ୍ଲାର ଧାନ, କପା ଓ ଆମ୍ବ ଚାଷ ଭଳି କାଜୁର ମଧ୍ୟ ସ୍ୱତନ୍ତ୍ର ପରିଚୟ ରହିଛି । ଜିଲ୍ଲାରୁ ଉତ୍ପାଦନ ହେଉଥିବା କାଜୁ ସ୍ଥାନୀୟ ବଜାର ସହ ସାରା ଭାରତରେ ବିକ୍ରି କରାଯାଉଛି । ପ୍ରଚୁର ପରିମାଣର କାଜୁ ଉତ୍ପାଦନ ହେଉଥିବାରୁ ସ୍ଥାନୀୟ ଅଂଚଳରେ ଦୁଇଟି ପ୍ରୋସେସିଂ ୟୁନିଟ୍ ସ୍ଥାପନ ହୋଇଛି । ଯେଉଁଠି ଶହ ଶହ ଯୁବକ ଓ ଯୁବତୀଙ୍କୁ ରୋଜଗାର ମିଳିପାରୁଛି । ସ୍ଥାନୀୟ ଅଂଚଳରେ କାଜୁ ପ୍ରକ୍ରିୟାକରଣ କେନ୍ଦ୍ର ହେବା ଯୋଗୁଁ ଚାଷୀଙ୍କୁ ଉଚିତ୍ ମୂଲ୍ୟ ମିଳିପାରିବ ବୋଲି କୁହାଯାଉଛି ।

Advertisment

ଜିଲ୍ଲାର ପ୍ରାୟ ଅଧିକାଂଶ ସ୍ଥାନରେ କାଜୁ ଚାଷ କରନ୍ତି ଲୋକେ । କଳାହାଣ୍ଡି ଜିଲ୍ଲାରୁ ବାର୍ଷିକ ୨ହଜାର ମେଟ୍ରିକ ଟନ କାଜୁ ଉତ୍ପାଦନ ହେଉଥିବା ବେଳେ ଅଧିକାଂଶ ସମୟ ଚାଷୀ ମାନେ ଅଭାବୀ ବିକ୍ରିର ଶିକାର ହୋଇଥାଆନ୍ତି । ପ୍ରୋସେସିଂ ୟୁନିଟ୍ ହେବା ଦ୍ୱାରା ଚାଷୀ ମାନେ ଅତି ସହଜରେ ଏଠାରେ କାଜୁ ବିକ୍ରି କରିପାରୁଛନ୍ତି । ଏହା ଏକ ଅର୍ଥକାରୀ ଫସଲ ହୋଇଥିବା ବେଳେ ଏହାର ୱେଷ୍ଟ ପ୍ରଡକ୍ଟରୁ ଏକ ତେଲ ବାହାରିଥାଏ । ଏହା ରଙ୍ଗ ଏବଂ ମୋବିଲରେ ବ୍ୟବହାର ହୋଇଥାଏ ।

ବଣ ପାହାଡ଼ ଘେରା କଳାହାଣ୍ଡି ଜିଲ୍ଲାରେ ଚାଷ ବାସ ଉପରେ ଅଧିକାଂଶ ଲୋକ ନିର୍ଭର କରନ୍ତି । କେସିଙ୍ଗା, ମଦନପୁର ରାମପୁର, ନର୍ଲା, ଥୁଆମୂଳ ରାମପୁର, ଜୁନାଗଡ଼, କର୍ଲାମୁଣ୍ଡା ଭଳି ସ୍ଥାନରେ ପ୍ରଚୁର ପରିମାଣର କାଜୁ ଚାଷ କରନ୍ତି ଚାଷୀ ।