ଚାଷୀଙ୍କ ଉପରେ ଦାଉ ସାଧିଲା ମୌସୁମୀ ବର୍ଷା : ଲଗାଣ ବର୍ଷା ଯୋଗୁଁ ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ 

93

କନକ ବ୍ୟୁରୋ : ମଣ୍ଡିରେ ଭିଜିଲା ଶହ ଶହ ବସ୍ତା ଧାନ । ବର୍ଷ ଯାକ ପରିଶ୍ରମ କରି ଅମଳ କରିଥିବା ଧାନ ଏବେ ମଣ୍ଡିରେ ଖୋଲା ଆକାଶ ତଳେ ପଡ଼ି ରହିଛି । ଆଉ ଲଗାଣ ବର୍ଷା ଯୋଗୁଁ ମଣ୍ଡି ଧାନ ମଧ୍ୟ ଗଜା ହେବାରେ ଲାଗିଲାଣି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଜୟପାଟଣା ବ୍ଲକରେ । କେତେବେଳ ଅଦିନିଆ ବର୍ଷା ତ କେତେବେଳେ ରୋଗ ପୋକ ଚାଷୀଙ୍କ ସ୍ୱପ୍ନକୁ ଅଧୁରା କରୁଛି । ଆଉ ଏବେ ମୌସୁମୀ ବର୍ଷା ମଧ୍ୟ ଦାଉ ସାଧିଛି ଚାଷୀଙ୍କ ଉପରେ ।

ପ୍ରାକ୍ ମୌସୁମୀ ବର୍ଷା ଯୋଗୁ କେଉଁଠି ଧାନ ବିଲରେ ଗଜା ହେଉଛି ତ ଆଉ କେଉଁଠି ଖଳାରେ ଗଜା ହେଉଛି ଧାନ । ଏପରିକି ମଣ୍ଡିରେ ବିକ୍ରି ପାଇଁ ଥିବା ଧାନ ମଧ୍ୟ ଓଦା ହୋଇ ପଡ଼ିଛି । କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ଚାଷିଙ୍କ ଧାନ କିଣିବା ପାଇଁ ୧୬ଟି ସ୍ଥାନରେ ମଣ୍ଡି ଖୋଲି ଗତ ୧୪ ତାରିଖରୁ ଧାନ କିଣିବା ଆରମ୍ଭ କରାଯାଇଛି । ହେଲେ ବ୍ଲକର ରଣାମାଳ, ଜୟପାଟଣା, ପରତାପୁର, ବାନେର ମଣ୍ଡି ବ୍ୟତିତ କର୍ମେଳି, ବିମଳା, ପାଇକେନ୍ଦୁମୁଣ୍ଡି, ଅରେବେଡ଼ା ମଣ୍ଡିରେ ସେଡ଼ ନଥିବାରୁ ଖୋଲା ଆକାଶ ତଳେ ଧାନ ପଡ଼ି ରହିଛି । ଟୋକନ ବ୍ୟବସ୍ଥା ଲାଗି ଲୋକେ ଧାନ ବିକ୍ରି ନକରି ପାରି ଅଡ଼ୁଆରେ ପଡ଼ିଛନ୍ତି । ବର୍ଷା ପାଣିରେ ଓଦା ହୋଇପଡ଼ି ରହିଛି ଶହ ଶହ ବସ୍ତା ଧାନ ।