କଳାହାଣ୍ଡି : କଳାହାଣ୍ଡିରେ ସ୍ୱାମୀ କାନ୍ଧରେ ସ୍ତ୍ରୀଙ୍କ ଶବ ବୁହା ଘଟଣା । ନିଜ ଆଡୁ ମାମଲା କଲେ ରାଜ୍ୟ ମାନବାଧିକାର କମିସନ। କଳାହାଣ୍ଡି ଜିଲ୍ଲାପାଳ ଓ ସିଡିଏମଓଙ୍କୁ ରାଜ୍ୟ ମାନବାଧିକାର ରିପୋର୍ଟ ତଲବ କରିଛନ୍ତି । ୨ ସପ୍ତାହ ମଧ୍ୟରେ ଘଟଣାର ରିପୋର୍ଟ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

କଳାହାଣ୍ଡିର କଳା କାହାଣୀ କେବଳ ଦେଶରେ ନୁହେଁ ସାରା ବିଶ୍ୱରେ ଆଲୋଡନ ସୃଷ୍ଟି କରିଛି । କଳାହାଣ୍ଡି ଭବାନୀପାଟଣାର ଏହି ଅଭାବନୀୟ ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ଖେଳାଇ ଦେଇଥିଲା । ଏପରିକି ଜାତୀୟ ଗଣମାଧ୍ୟମରେ ବି ଏହା ଚର୍ଚ୍ଚାକୁ ଆସିଥିଲା । ପରେ ଏହି ଖବରକୁ ନେଇ ଅନ୍ତର୍ଜାତୀୟ ଗଣମାଧ୍ୟମରେ ବି ଚର୍ଚ୍ଚା ଜୋର ଧରିଛି । ଏପରିକି ସରକାରୀ ଯୋଜନା ବ୍ୟବସ୍ଥାକୁ ଉପହାସ କରି ସୋସିଆଲ ମିଡିଆରେ ଏନେଇ ତିଆରି କାର୍ଟୁନ ଭାଇରାଲ ହୋଇଛି ।

ଓଡିଶା କଳାହାଣ୍ଡିର ଏହି କାହାଣୀ ଏବେ ସାରା ଦେଶକୁ ମର୍ମାହତ କରିଛି। ସ୍ତ୍ରୀର ମୃତଦେହକୁ ସ୍ୱାମୀ କାନ୍ଧରେ ପକାଇ ୧୦ କିଲୋମିଟର ଯିବା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ୧୬ ବର୍ଷର ଲୋକପ୍ରିୟ ସରକାର ଗାଁ ଗାଁରେ ଆଦିବାସୀଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣ କାର୍ଯ୍ୟକ୍ରମର ପସରା ମେଲିଥିବା ବେଳେ ଏ ଘଟଣା ପୁରା ବ୍ୟବସ୍ଥାକୁ ପରିହାସ କରିଛି। କଳାହାଣ୍ଡି ଜିଲ୍ଲାର ଧନା ମାଝୀ କେବଳ ଟିଭିର ହେଡଲାଇନ୍ସ ନଥିଲା ବରଂ ଏହି ଘଟଣା ସୋସିଆଲ୍ ମିଡିଆରେ ବି ଧନୁ ମାଝୀକୁ ନେଇ ଚର୍ଚ୍ଚା ଚାଲିଛି । ଆଉ ଏହି ଘଟଣାର ପ୍ରତିବାଦରେ ଆଜି ସିଡିଏମ୍ଓଙ୍କ କାର୍ଯ୍ୟାଳୟ ଘେରାଉ କରୁଛି କଂଗ୍ରେସ।