କନକ ବ୍ୟୁରୋ : ଯେତେବେଳେ ଜୀବନର ଅଧରାସ୍ତାରେ ସ୍ୱାମୀ ଆରପାରିକୁ ଚାଲିଯାଆନ୍ତି, ପିଲାର ପେଟକୁ ଦାନା ଦେଇ ନପାରି ମାଆଟିଏ ମମତାକୁ ଅନାଥ ଆଶ୍ରମରେ ଛାଡିଦିଅନ୍ତି, ସେତେବେଳେ ସେ ମାଆ ଅସହାୟ ହୋଇପଡନ୍ତି । ନିଜର ଠିକଣା ଭୁଲି ଯାଆନ୍ତି । ଯେଉଁଠି ଟିକିଏ ସ୍ଥାନ ପାଆନ୍ତି ସେଇଠି ସେମିତି ଶୋଇପଡନ୍ତି । ଏଇ ଯେମିତି କଳାହାଣ୍ଡି ଜିଲ୍ଲାର ବ୍ଲକ ପରିସର ବାଇକ୍ ଷ୍ଟାଂଡରେ ଆଶ୍ରୟ ନେଇଛନ୍ତି ଜଣେ ବିଧବା ମହିଳା । ଶୀତ କାକରରେ ମହିଳା ଜଣଙ୍କ ପଡି ରହିଥିବା ବେଳେ ବ୍ଲକକୁ ଆସୁଥିବା ପ୍ରଶାସନିକ ଅଧିକାରୀଙ୍କ ନଜର ପଡୁନାହିଁ ।

Advertisment

୪ ବର୍ଷ ତଳେ ଉର୍ମିଳାଙ୍କ ଜୀବନରେ ସବୁ କିଛି ଠିକ୍ ଠାକ୍ ଥିଲା । କୋକସରା ବ୍ଲକ ସାନପୋଡ଼ା ଗାଁର କଲୋନୀପଡ଼ାରେ ସ୍ୱାମୀ-ପୁଅକୁ ନେଇ ରହୁଥିଲେ । ସ୍ୱାମୀ ମୁଲ ମଜୁରି କରି ଆଣିଲେ ଖାଉଥିଲେ । ହେଲେ ସ୍ୱାମୀଙ୍କ ଦେହାନ୍ତ ପରେ ବଦଳି ଗଲା ଉର୍ମିଳାଙ୍କ ଜୀବନ । ପୁଅକୁ ଅନାଥ ଆଶ୍ରମରେ ଛାଡି ଏଣେତେଣେ ମୁଣ୍ଡ ଗୁଂଜୁଛନ୍ତି ଜଣେ ବିଧବା ମାଆ । ବ୍ଲକ ପରିସରରେ ମାଗିଯାଚି ଚଳୁଥିଲେ ବି ମିଳୁନି ବିଧବା ଭତା କି ଅନ୍ୟ କୌଣସି ସରକାରୀ ସୁବିଧା ।

ଉର୍ମିଳାଙ୍କ ବାବଦରେ ଜାଣିବା ପରେ ବିଡିଓ କହିଛନ୍ତି, ମହିଳା ଜଣଙ୍କ ବ୍ଲକ ପରିସରରେ ରହି କାମ କରି ମଜୁରୀ ପାଉଛନ୍ତି । ତାଙ୍କର ଆଧାର କାର୍ଡ ଅଛି କି ନାହିଁ ତଦନ୍ତ କରି ତାଙ୍କ ରହଣି ପାଇଁ ବ୍ୟବସ୍ଥା କରାଯିବ ।