କଳାହାଣ୍ଡିର ନଦୀକୂଳିଆ ଅଂଚଳରେ ବ୍ୟାପକ ତରଭୁଜ ଚାଷ । ବଜାର ବ୍ୟବସ୍ଥା ନଥିବାରୁ କ୍ଷତି । ଶୀତଳଭଣ୍ଡାର ପାଇଁ ଦାବି

87

କନକ ବ୍ୟୁରୋ: କଳାହାଣ୍ଡି ଜିଲ୍ଲାର ନଦୀକୂଳିଆ ଅଂଚଳରେ ହୋଇଛି ବ୍ୟାପକ ପରିମାଣର ତରଭୁଜ ଚାଷ । । ତରଭୁଜ ଏକ ରୁତୁକାଳୀନ ଫସଲ ହୋଇଥିବା ବେଳେ ଭଲ ଲାଭ ଆଶାରେ ଏହି ଚାଷ କରିଥିଲା ଚାଷୀ । କିନ୍ତୁ ଚାଷୀଙ୍କ ଆଶା ଏବେ ମଉଳିବାକୁ ବସିଲାଣି । କାରଣ ଉପଯୁକ୍ତ ବଜାର ବ୍ୟବସ୍ଥା ନଥିବାରୁ ଚାଷୀ ଅଭାବି ବିକ୍ରିର ଶିକାର ହେଉଥିବା ଅଭିଯୋଗ କରିଛନ୍ତି । ମୁଣ୍ଡ ଝାଳ ତୁଣ୍ଡରେ ମାରି ଚାଷୀ ପରିଶ୍ରମ କରୁଥିଲେ ମଧ୍ୟ ଅଭାବି ବିକ୍ରି ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି । ଜିଲ୍ଲାର ଭବାନୀପାଟଣା, ଗୋଲାମୁଣ୍ଡା, ଧର୍ମଗଡ଼, ଜୁନାଗଡ଼ ଅଂଚଳରେ ଏକର ଏକର ଜମିରେ ଚାଷୀ ତରଭୁଜ ଚାଷ କରିଛନ୍ତି । କିନ୍ତୁ ଏହାକୁ ସାଇତି ରଖିବା ପାଇଁ ବ୍ୟବସ୍ଥା ନଥିବାରୁ ଚାଷୀ କ୍ଷତି ସହୁଛନ୍ତି ।

ତରଭୁଜ ଚାଷ ପାଇଁ ପାଣିର ଆବଶ୍ୟକତା ରହିଥିବା ବେଳେ ଚାଷ ଜମି ନିକଟରେ ଥିବା ନଦୀ ଗୁଡ଼ିକ ଶୁଖିଲା ପଡ଼ିଛି । ଫଳରେ ପାଣି ସମସ୍ୟା ଚାଷୀଙ୍କର ପ୍ରମୁଖ ସମସ୍ୟା ପାଲଟିଛି । କିଛି ତରଭୁଜ ଅମଳ ହୋଇଥିବା ବେଳେ ଆଉ କିଛି ଅମଳ ପାଇଁ ରହିଛି । ପାଣି ଅଭାବରୁ ଫସଲ ନଷ୍ଟ ହେବାର ଆଶଙ୍କା ରହିଛି । ଅନ୍ୟପଟେ ଅମଳ ହୋଇଥିବା ତରଭୁଜ ବିକ୍ରିବଟାରେ ଅସୁବିଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।
ଚାଷ ଆରମ୍ଭରୁ ବର୍ଷା ଏବଂ ବନ୍ୟାପାଣି ଚାଷ ନଷ୍ଟ କରିଥିଲା । ଅମଳ ପରେ ଏବେ ଅଭାବି ବିକ୍ରି ଚାଷୀଙ୍କ ଦୁଃଖକୁ ଦ୍ୱିଗୁଣିତ କରିଛି । ସରକାର ତରଭୁଜ ବିକ୍ରି ପାଇଁ କୋଲ୍ଡ ଷ୍ଟୋରେଜ ବ୍ୟବସ୍ଥା କରିବାକୁ ସାଧାରଣରେ ଦାବି ହୋଇଛି ।