ଆଇନକୁ ହାତକୁ ନେଲେ ଅନ୍ନଦାତା । ଟୋକନ ନଥିଲେ ଧାନ ବିକ୍ରି ମନା, ଜାଣିବା ପରେ ମାତିଲେ ରାୟଗଡା ଚାଷୀ । ମଣ୍ଡି କର୍ମଚାରୀଙ୍କୁ ମାରିଲେ ତାଲା

ସେପଟେ କଳାହାଣ୍ଡିରେ ରାସ୍ତାରେ ଧାନ ରଖି ଚାଷୀଙ୍କ ପ୍ରତିବାଦ

271

କନକ ବ୍ୟୁରୋ: ଟୋକନ ନଥିଲେ ଧାନ ବିକି ପାରିବେନି ଚାଷୀ । ସରକାରଙ୍କ ଏଭଳି ନିଷ୍ପତି ପରେ ସାରା ରାଜ୍ୟରେ ଚାଷୀଙ୍କ ଭିତରେ ଏକ ବଡଧରଣର ଅସନ୍ତୋଷ ଦେଖିବାକୁ ମିଳୁଛି । ଗୋଟିଏ ପଟେ ମଣ୍ଡି ଖୋଲୁନି, ସେପଟେ ଶୀତ କାକରରେ ଖୋଲା ଆକାଶ ତଳେ ପଡି ରହୁଛନ୍ତି ଚାଷୀ । ଫଳରେ ପ୍ରଶାସନ ସହ ମୁହାଁମୁହିଁ ସ୍ଥିତି ଉପୁଜିଛି । ରାୟଗଡାରେ ମଣ୍ଡିରେ କର୍ମଚାରୀଙ୍କୁ ତାଲା ପକାଇ ପ୍ରତିବାଦ କରିଛନ୍ତି ଚାଷୀ ।

ଭିତରେ କର୍ମଚାରୀ, ବାହାରେ ତାଲା । ଆମ ବ୍ୟବସ୍ଥାର ଏହା ବିଡମ୍ବନା, ଯେତେବେଳେ ଅନ୍ନଦାତାକୁ ଆଇନକୁ ହାତକୁ ନେବାକୁ ପଡୁଛି । କାରଣ ପ୍ରତିବାଦ ଜୋରଦାର ନହେଲେ ପ୍ରଶାସନର କାନରେ ପଡିବନି । ମଣ୍ଡି କର୍ମଚାରୀଙ୍କୁ ଚାଷୀ ତାଲା ମାରୁଥିବାର ଏ ଚିତ୍ର ରାୟଗଡା ଜିଲ୍ଲା ହାଟମୁନିଗୁଡାର । ଟୋକନ ନଥିଲେ ମଣ୍ଡିରେ ଧାନ ବିକିପାରିବେନି ବୋଲି ଶୁଣିବା ପରେ ଏଭଳି ତାତି ଉଠିଛନ୍ତି ଚାଷୀ ।

ହାଟମୁନିଗୁଡା ମଣ୍ଡିରେ କର୍ମଚାରୀ ଥିବାବେଳେ ବାହାରୁ ତାଲା ପକାଇ ଦେଇଥିଲେ ଉତ୍ୟକ୍ତ ଚାଷୀ । ଦୀର୍ଘ ସମୟ ସେମାନଙ୍କୁ ଅଟକ ରଖିବା ପରେ ପୋଲିସ ପହଂଚି ବୁଝାସୁଝା କରିଥିଲା । ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କ ସହ ମିଟିଂ ଫିକ୍ସ ରହେବାରୁ ଚାଷୀ ତାଲା ଖୋଲିଥିଲେ ।

ହାଟମୁନିଗୁଡା ମଣ୍ଡିରେ କେବଳ ଟୋକନଧାରୀ ହିଁ ଧାନ କିବିପାରିବେ ବୋଲି ଜାଣିବା ପରେ ଏଭଳି ପ୍ରତିବାଦ କରିଥିଲେ ଚାଷୀ । ପରେ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଭେଟି ସମସ୍ତ ଧାନ ବିକ୍ରି ନେଇ ପ୍ରତିଶ୍ରୁତି ପାଇବାରୁ ପ୍ରତିବାଦରୁ ଓହରିଛନ୍ତି । ଏଥିପାଇଁ ପ୍ରଶାସନକୁ ସପ୍ତାହେ ସମୟ ଦେଇଛନ୍ତି ।

ତେବେ ରାୟଗଡା ଜିଲ୍ଲାରେ ଏବର୍ଷ ୩୯ଟି ମଣ୍ଡି ଜରିଆରେ ମୋଟ୍ ୮ ଲକ୍ଷ ୯୮ ହଜାର ୫୦୭ କ୍ୱିଂଟାଲ ଧାନ କ୍ରୟ ପାଇଁ ଲକ୍ଷ୍ୟ ରଖାଯାଇଥିଲା । ହେଲେ ବର୍ତମାନ ସୁଦ୍ଧା ମାତ୍ର ୧ ଲକ୍ଷ ୭୩ ହଜାର କ୍ୱିଂଟାଲ ଧାନ ଚାଷୀଙ୍କଠୁ କିଣାଯାଇଛି । ସେପଟେ ସରକାରୀ ନଥି କହୁଛି ୯ଶହରୁ ଅଧିକ ଚାଷୀ ନାମ ପଞ୍ଜିକରଣରୁ ବଂଚିତ ହୋଇଛନ୍ତି । ଯାହାକୁ ନେଇ ଏକ ବଡଧରଣର ବିଭ୍ରାଟ ସାମ୍ନାକୁ ଆସିଛି । ଚାଷୀଙ୍କ ଭିତରେ ବଢୁଥିବା ଅସନ୍ତୋଷ ପ୍ରଶାସନ ସହ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଛି ।