କନକ ବ୍ୟୁରୋ : ଅନ୍ନଦାତାଙ୍କ ପିଛା ଛାଡ଼ୁନାହିଁ ସମସ୍ୟା । କେତେବେଳେ ରୋଗ ପୋକ ଅନ୍ୟ କେତେବେଳେ ଅଦିନିଆ ବର୍ଷା ଦାଉସାଧୁଛି । ଏବେ ମଣ୍ଡିରୁ ଧାନ ଉଠୁନଥିବାରୁ କଳାହାଣ୍ଡି ଜିଲ୍ଲା ଚାଷୀଙ୍କୁ ଚିନ୍ତା ଘାରିଛି । ଏଠାରେ ହଜାର ହଜାରରୁ ଅଧିକ ବସ୍ତା ଧାନ ଖୋଲା ଆକାଶ ତଳେ ବିକ୍ରି ଅପେକ୍ଷାରେ ପଡ଼ିରହିଛି । ଟୋକନ ଅଭାବ ଏବଂ ବିଳମ୍ବିତ ମଣ୍ଡି ଯୋଗୁଁ କଲମପୁର ବ୍ଲକର ଚାଷୀ ମାତ୍ର ୩୦ ପ୍ରତିଶତ ଧାନ ବିକ୍ରୟ କରିଥିବା ବେଳେ ୭୦ ପ୍ରତିଶତ ଚାଷୀ ନିଜ ନିଜ ଧାନ ଉତ୍ପାଦନ କରି ଶୀତ କାକରରେ କିଏ ଖଳାରେ ତ ପୁଣି କିଏ ମଣ୍ଡିରେ ପକାଇ ରଖିଛନ୍ତି ।

Advertisment

କଲମପୁର ବ୍ଲକର ୪ ଗୋଟି ସମବାୟ ସମିତି ୩ଗୋଟି ମହିଳା ଗୋଷ୍ଠୀଙ୍କ ମାଧ୍ୟମରେ ୧୫ ଗୋଟି ଧାନମଣ୍ଡି ପରିଚାଳିତ ହେଉଛି । ଏହି ସମସ୍ତ ଧାନ ମଣ୍ଡି ମାଧ୍ୟମରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ନାମ ପଂଜିକରଣ କରାଇଥିଲେ । ନଭେମ୍ବର ପହିଲାରୁ ଚାଷ ଅମଳ ଆରମ୍ଭ ହୋଇସାରିଲାଣି । କିନ୍ତୁ ଜିଲ୍ଲା ପ୍ରଶାସନ ଡିସେମ୍ବର ପହିଲାରୁ ମଣ୍ଡି ଆରମ୍ଭ ପାଇଁ ଘୋଷଣା କରିଥିଲେ । ଏହି ଅନୁସାରେ ଚାଷୀଙ୍କୁ ଟୋଗନ ଦିଆଯାଇଥିଲା । କିନ୍ତୁ ହଠାତ ବାତ୍ୟାର ପ୍ରକୋପ ଏବଂ ଅଦିନିଆ ବର୍ଷା ଯୋଗୁଁ ମଣ୍ଡିରେ ଆରମ୍ଭରୁ ପୁଣି ଏକ ସପ୍ତାହ ବିଳମ୍ବ ହୋଇଥିଲା । ମଣ୍ଡି ଆରମ୍ଭରେ ବିଳମ୍ବ ଯୋଗୁଁ ଚାଷୀ ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ବେଳେ ଡିସେମ୍ବର ୨୮ ତାରିଖ ସୁଦ୍ଧା ଶତାଧିକ ଚାଷୀଙ୍କ ଟୋକନ ଆସି ନଥିବାରୁ ଚାଷୀ ଏବେ ହରଡ଼ ଘଣାରେ ।

ଦିନରାତି ପରିଶ୍ରମ କରି ଅମଳ କରିଥିବା ଫସଲକୁ, ଚାଷୀମାନେ କିଭଳି ବିକ୍ରି କରିବେ ଏନେଇ ପ୍ରଶାସନ ହସ୍ପକ୍ଷେପ ଲୋଡ଼ିଛନ୍ତି ।