ବିଦେଶ ଗଲା କଳାହାଣ୍ଡି କପା । ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ଗଲା ଧଳା ସୁନା । ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ।

144

କନକ ବ୍ୟୁରୋ : ଧାନ ପରେ ଓଡିଶାରୁ ବିଦେଶକୁ ରପ୍ତାନୀ ହେଲା କଳାହାଣ୍ଡି କପା । କଳାହାଣ୍ଡି ଜିଲ୍ଲାର ଅର୍ଥକାରୀ ଫସଲ କପାକୁ ଟ୍ରେନ ଯୋଗେ ଜୁନାଗଡ ଷ୍ଟେସନରୁ ବାଂଲାଦେଶ ପଠାଯାଇଛି । ଆଉ କପା ବିଦେଶ ଯିବା ପରେ ଚାଷୀ, ଶ୍ରମିକ ଓ ବ୍ୟବସାୟୀଙ୍କ ମଧ୍ୟରେ ଖୁସିର ଲହରି ଖେଳିଯାଇଛି । ଜିଲ୍ଲାର ସ୍ପିନିଂ ମିଲ୍ ବନ୍ଦ ହେବା ପରେ ଅଭାବୀ ବିକ୍ରୀର ଶିକାର ହେଉଥିବା ଚାଷୀ ଦୁଇ ପଇସା ପାଇବା ନେଇ ଆଶା ରଖିଛନ୍ତି ।

ଓଡ଼ିଶା ଲାଗି ଗୌରବ । ବିଦେଶ ଗଲା କଳାହାଣ୍ଡି କପା । ବିଭିନ୍ନ ଅର୍ଥକାରି ଫସଲ ମଧ୍ୟରେ ଅନ୍ୟତମ ଧଳା ସୁନା କପା । କପା ଚାଷ ପଶ୍ଚିମ ଓଡିଶାରେ ବହୁଳ ଭାବରେ ହେଉଥିବା ବେଳେ କଳାହାଣ୍ଡି କପାର ବେଶ ଚାହିଦା ରହିଛି । କଳାହାଣ୍ଡିରେ ସ୍ପିନିଂ ମିଲ ବନ୍ଦ ହେବା ପରେ ମଣ୍ଡି ଜରିଆରେ କପା ବିକ୍ରି ହେଉଥିଲେ ବି ଚାଷୀ ଉଚିତ ମୁଲ୍ୟ ପାଇବାରୁ ବଞ୍ଚିତ ହେଉଥିଲେ । କିନ୍ତୁ ରେଳ ବିଭାଗର ଉଦ୍ୟମ ଫଳରେ ବିଦେଶକୁ ପ୍ରଥମ ଥର ରପ୍ତାନୀ ହୋଇଛି କଳାହାଣ୍ଡି କପା, ଆଉ ଖୁସି ଜାହିର କରିଛନ୍ତି ଚାଷୀ ଓ ପରିବହନ ସଂସ୍ଥା।

ଧଳା ସୁନା ଚାଷୀଙ୍କ ମୁହଁରେ ଫୁଟାଇଲା ହସ । ବାଂଲାଦେଶ ରପ୍ତାନୀ ହେଲା କଳାହାଣ୍ଡି କପା । ସମ୍ବଲପୁର ରେଳ ମଣ୍ଡଳର ଉଦ୍ୟମରେ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ରୋଡ ରେଳ ଷ୍ଟେସନରୁ ବାଂଲାଦେଶର ବେନପୋଲ ଷ୍ଟେସନକୁ କପା ପଠାଯାଇଛି । ୪୨ ଗୋଟି ୱାଗନ ଯୋଗେ ୨୪୭୧ ମେଟ୍ରିକ ଟନ ଯାଇ ଥିବା ବେଳେ ଦୁଇ ପଇସା ଅଧିକ ରୋଜଗାର କରି ଖୁସି ହୋଇଛନ୍ତି ଶ୍ରମିକ ମାନେ । ଆଗାମୀ ଦିନରେ ମଧ୍ୟ ଏପରି ପରିବହନ ଜାରି ରଖିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି କପା ଚାଷୀ । ଓଡ଼ିଶାର କୃଷି କ୍ଷେତ୍ରରେ କପାଚାଷୀଙ୍କ ଉନ୍ନତି ଲାଗି ସମ୍ବଲପୁର ରେଳ ମଣ୍ଡଳ ଦ୍ଵାରା କରାଯାଇଥିବା ପରିବହନ ବ୍ୟବସ୍ଥା ଯୋଗୁଁ ପଶ୍ଚିମ ଓଡ଼ିଶାର କପା ଦେଶ ତଥା ବିଦେଶରେ ସୁନାମ ଅର୍ଜନ କରିଛି ।