ପାଠ୍ୟ ପୁସ୍ତକରେ ଏବେ ବି ବଦଳିନି କଳାହାଣ୍ଡି: ଦାରିଦ୍ର୍ୟ ଓ ଆନାହାରର ଭୂଖଣ୍ଡ ଭାବେ ଚିତ୍ରଣ କଲା ଏନସିଆରଟି; ଉଠିଲା ପ୍ରତିବାଦର ସ୍ୱର

କେନ୍ଦ୍ର ମନ୍ତ୍ରୀଙ୍କୁ ଜଣାଇଲେ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର

153

କନକ ବ୍ୟୁରୋ: ସମୟ ବଦଳିଛି, ସମୟ ସହ ତାଳ ଦେଇ ଆଗକୁ ବଢୁଛି କଳାହାଣ୍ଡି । ହେଲେ ପାଠ୍ୟ ପୁସ୍ତକରେ ବଦଳି ପାରୁନି କଳାହାଣ୍ଡିର ଚିତ୍ର । ଏନସିଇଆରଟି ଦ୍ୱାରା ପଂଚମ ଶ୍ରେଣୀ ପାଇଁ ପ୍ରସ୍ତୁତ ହୋଇଥିବା ପାଠ୍ୟ ପୁସ୍ତକରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ବିବାଦୀୟ ବର୍ଣ୍ଣନା ରହିଛି । ଏଥିରେ ଜିଲ୍ଲାର ଛବିକୁ ମଳିନ କରିବା ସହ ଅତିନ୍ୟୁନ ଢ଼ଙ୍ଗରେ ଦର୍ଶାଯାଇଛି । ଯାହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ପାଠ୍ୟ ପୁସ୍ତକରେ ଏବେ ବି ବଦଳିନି କଳାହାଣ୍ଡି । ଦରିଦ୍ର ଜିଲ୍ଲା ଭାବେ ଚିତ୍ରଣ କଲା ଏନସିଇଆରଟି । ରାଷ୍ଟ୍ରୀୟ ଶୈକ୍ଷିକ ଅନୁସନ୍ଧାନ ଓ ପ୍ରଶିକ୍ଷଣ ପରିଷଦ-ଏନସିଇଆରଟି ଦ୍ୱାରା ପଂଚମ ଶ୍ରେଣୀ ପାଇଁ ପ୍ରସ୍ତୁତ ପରିବେଶୀୟ ପାଠ୍ୟ ପୁସ୍ତକ- ଇଭିଏସରେ କଳାହାଣ୍ଡି ଜିଲ୍ଲା ସଂପର୍କରେ ବିବାଦୀୟ ବର୍ଣ୍ଣନା । ଜିଲ୍ଲାକୁ ଦାରିଦ୍ର୍ୟ ଓ ଆନାହାରର ଭୂଖଣ୍ଡ ଭାବେ ଚିତ୍ରଣ କରାଯାଇଛି । ଟିକେ ଦେଖିନିଅନ୍ତୁ ଏହି ପାଠ୍ୟ ପୁସ୍ତକରେ କଣ ଲେଖା ଯାଇଛି । ‘କଳାହାଣ୍ଡିରେ ଅଧିକ ଧାନ ଉତ୍ପାଦନ ହୁଏ । ଅନ୍ୟ ରାଜ୍ୟକୁ ମଧ୍ୟ ଏଠାରୁ ଧାନ ପଠାଯାଏ । ହେଲେ ଅନେକ ସମୟରେ ଗୋଦାମରେ ପଡି ପଡି ଧାନ ଖତ ଖାଏ । ଏହି କଳାହାଣ୍ଡିରେ ଗୋମତିଙ୍କ ପରି ଅନେକ ଦରିଦ୍ର ଲୋକ ରୁହନ୍ତି । ଏଭଳି ଏକ ସ୍ଥାନରେ ଲୋକେ କାହିଁକି ଅନାହାରରେ ମୃତ୍ୟୁ ବରଣ କରନ୍ତି?’ ଓଡିଶାର ଭାତହାଣ୍ଡି କୁହାଯାଉଥିବା କଳାହାଣ୍ଡିକୁ ଏଭଳି ନ୍ୟୁନ କରି ଦେଖାଇବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏକ ରାଷ୍ଟ୍ରୀୟ ସଂସ୍ଥା ଦ୍ୱାରା ପ୍ରସ୍ତୁତ ପାଠ୍ୟ ପୁସ୍ତକରେ କଳାହାଣ୍ଡିର ପ୍ରକୃତ ଚିତ୍ର ଉପସ୍ଥାପନ ହୋଇନପାରିବା ଦୁର୍ଭାଗ୍ୟଜନକ ବୋଲି କହି ଆପତି କରିଛନ୍ତି କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । ଏନେଇ ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କ ସହ କଥା ହୋଇଛନ୍ତି । କଳହାଣ୍ଡିବାସୀଙ୍କ ସ୍ୱାଭିମାନ ପ୍ରତି ଉପହାସ କରୁଥିବା ଏଭଳି ବିଭ୍ରାନ୍ତିକର ପାଠ୍ୟ ପୁସ୍ତକକୁ ତୁରନ୍ତ ବଜାରରୁ ହଟାଇ ନେବା ପାଇଁ ଦାବି ଜଣାଇଛନ୍ତି ।

କଳାହାଣ୍ଡିର ପ୍ରକୃତ ଚିତ୍ର

– କଳାହାଣ୍ଡି ରାଜ୍ୟର ଦ୍ୱିତୀୟ ବୃହତ ଧାନ ଉତ୍ପାଦନକାରୀ ଜିଲ୍ଲା

– ୧ ହଜାର କୋଟି ଟଙ୍କାର ଧାନ ବିକି ରେକର୍ଡ କରିଛନ୍ତି ଜିଲ୍ଲାର ଚାଷୀ

– କପା ଉତ୍ପାଦନରେ କଳାହାଣ୍ଡି ଜିଲ୍ଲା ରାଜ୍ୟରେ ପ୍ରଥମ

– ଜିଲ୍ଲାରେ ବୃହତ ଜଳବିଦ୍ୟୁତ୍ ଯୋଜନା କାର୍ଯ୍ୟକାରୀ ହେଉଛି

– ଗମାନଗମନ, ସ୍ୱାସ୍ଥ୍ୟ ଓ ଶିକ୍ଷାରେ ଜିଲ୍ଲା ଅନେକ ଉନ୍ନତି କରିଛି

୨୦୧୬ରେ କଳାହାଣ୍ଡିର ଏହି ଚିତ୍ର କିନ୍ତୁ ସାରା ବିଶ୍ୱରେ ଜିଲ୍ଲା ପାଇଁ ଦୁର୍ନାମ ଆଣି ଦେଇଥିଲା । ଅର୍ଥ ଅଭାବରୁ ଦରିଦ୍ର ଦାନ ମାଝୀ ପତ୍ନୀଙ୍କ ମୃତଦେହକୁ କାନ୍ଧରେ ବୋହି ୧୦ କିଲୋମିଟର ବାଟ ପାଦରେ ଚାଲିଚାଲି ଯାଇଥିଲେ ।

କଳାହାଣ୍ଡିର କଳଙ୍କ

– ୨୦୦୬ରେ ପଂଚାୟତିରାଜ ମନ୍ତ୍ରାଳୟ ଏହାକୁ ଦେଶର ୨୫୦ ପଛୁଆ ଜିଲ୍ଲା ତାଲିକାରେ ରଖିଥିଲା

– ପଛୁଆ ଜିଲ୍ଲା ବିକାଶ ପାଇଁ ଉଦ୍ଦିଷ୍ଟ ବିଆରଜିଏଫ ପାଣ୍ଠିରୁ ଅନ୍ୟ ୧୯ ଜିଲ୍ଲା ସହ କଳାହାଣ୍ଡି ଅନୁଦାନ ପାଉଛି

– ସାମାଜିକ ଓ ଅର୍ଥନୈତିକ ବିକାଶ ପାଇଁ ଗଠିତ ପଶ୍ଚିମ ଓଡିଶା ବିକାଶ ପରିଷଦରୁ ସ୍ୱତନ୍ତ୍ର ପାଣ୍ଠି ପାଉଛି କଳାହାଣ୍ଡି – କେନ୍ଦ୍ର ସରକାରଙ୍କ ଆକାଂକ୍ଷୀ ଜିଲ୍ଲା ତାଲିକାରେ ଅନ୍ୟ ୩ ଜିଲ୍ଲା ସହ କଳାହାଣ୍ଡିର ନାଁ ମଧ୍ୟ ରହିଛି

– ୨୦୧୪ର ତଥ୍ୟ ଅନୁସାରେ କଳାହାଣ୍ଡି ଜିଲ୍ଲାରେ ବ୍ୟକ୍ତିର ମୁଣ୍ଡପିଛା ଆୟ ୧୯ ହଜାର ୪୦୪ ଟଙ୍କା

ଏହାରି ଭିତରେ କଳାହାଣ୍ଡି ଜିଲ୍ଲାର ବିକାଶ ପାଇଁ ଅନେକ କାର୍ଯ୍ୟକ୍ରମ ହାତକୁ ନେଇ ରାଜ୍ୟ ସରକାର । କୃଷି ପ୍ରଧାନ କଳାହାଣ୍ଡି ଜିଲ୍ଲାରେ ଇନ୍ଦ୍ରାବତୀ ଜଳ ପ୍ରକଳ୍ପ ବର୍ଷବର୍ଷ ଧରି ଚାଷୀର ଅର୍ଥନୀତିରେ ବୈପ୍ଳବିକ ପରିବର୍ତନ ଆଣିପାରୁଛି । ତଥାପି ସୁନାମ ଓ ଦୁର୍ନାମ ଭିତରେ ଏବେ ବି ସଂଘର୍ଷ କରୁଛି କଳାହାଣ୍ଡି ଜିଲ୍ଲା ।