ସରକାରୀ ନଳକୂପ ଖନନରେ ଦୁର୍ନୀତି ଅଭିଯୋଗ । ଘରୋଇ ଫାର୍ମହାଉସରେ କରାଯାଇଛି ସରକାରୀ ନଳକୂଅ ଖନନ

443

କନକ ବ୍ୟୁରୋ : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ପାଣି ପାଇଁ ଲୋକ ହନ୍ତସନ୍ତ ହେଉଛନ୍ତି । କଳାହାଣ୍ଡି ଜୟପାଟଣାରେ ଲୋକଙ୍କ ପାଇଁ ଆସିଥିବା ନଳକୂପକୁ ବେସରକାରୀ ଫାର୍ମହାଉସରେ କରାଯାଇଛି । ଜୟପାଟଣା ବ୍ଲକ ଉଚ୍ଛୁଳା ପଂଚାୟତର ଘଂଟିଗୁଡା ଗାଁରେ ଦୁଇଟି ନଳକୂପ ଖୋଳିବାକୁ ସରକାରୀ ଅନୁଦାନ ଆସିଛି । ଶିବ ମନ୍ଦିର ପରିସରରେ ଖନନ ହୋଇଥିବା ନଳକୂପରେ ପୁରୁଣା ସରଂଜାମ ଲାଗିଥିବା ବେଳେ ଆଉ ବେସରକାରୀ ଫାର୍ମହାଉସରେ ଆଉ ଗୋଟିଏ ନଳକୂପ ଖନନ ହୋଇଥିବା ଅଭିଯୋଗ ହୋଇଛି । ତେବେ ଫାର୍ମ ହାଉସରେ ନଳକୂପ ଖନନକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି ।

ନିୟମ ଅନୁସାରେ, ନଳକୂପ ଖନନ ଲାଗି କାର୍ଯ୍ୟ ଖସଡ଼ା ପ୍ରସ୍ତୁତ ହେବା ସମୟରେ ଗ୍ରାମ ଓ ସ୍ଥାନ ନିରୁପଣ ହୋଇଥାଏ । ବିଭିଗୀୟ ଯନ୍ତ୍ରୀ ଉପସ୍ଥିତ ରହି କାର୍ଯ୍ୟର ତଦାରଖ କରିବା କଥା । ହେଲେ ଜୟପାଟଣାରେ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । କାମ ବେଳେ ବାବୁଙ୍କ ଦେଖା ନଥିବା ବେଳେ ଘରୋଇ ସ୍ଥାନରେ ସରକାରୀ ନଳକୂପ ଖୋଳା ଯାଇଛି । ବିଭାଗୀୟ ଅଧିକାରୀଙ୍କ ଦୁର୍ନୀତିଖୋର ମନଭାବ ଯୋଗୁଁ ବାରମ୍ବାର ଏଭଳି ହେଉଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି ।

ସେପଟେ ଏ ସଂପର୍କରେ ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିହାର ରଂଜନ ମଲ୍ଲିକ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ରଖିବାକୁ ମନା କରି ଦେଇଛନ୍ତି ।