କର୍କଟ ରୋଗର କରୁଣ କାହାଣୀ: ଘରର ଏକମାତ୍ର ଭରସାକୁ କର୍କଟ କରୁଛି କଲବଲ, ଚିକିତ୍ସା ବାଟରେ ଅର୍ଥ ସାଜିଛି ଅଡୁଆ, ଗରିବର ଦୁଃଖ ଶୁଣିବାକୁ ପରିବାରର ଗୁହାରୀ

290

କନକ ବ୍ୟୁରୋ: ଘର ଗଲା, ଜମି ବାଡି ବି ବିକ୍ରି କଲେ । ତଥାପି ଚିକିତ୍ସା ହୋଇ ପାରୁନାହିଁ । ଗୋଟିଏପଟେ ବଂଚିବାର ରାହା ଖୋଜୁଥିବାବେଳେ ଅନ୍ୟପଟେ ଅର୍ଥ ସାଜିଛି ବାଧକ । ଏମିତି କିଛି ବିଧିର ବିଧାନ ଆଉ ଦାରିଦ୍ର୍ୟ ଦଉଡ଼ି ଭିତରେ ଛନ୍ଦି ହୋଇପଡ଼ିଛନ୍ତି କଳାହାଣ୍ଡି ଜିଲ୍ଲା ଗୋଡଭଂଜା ଗାଁର ଜୟ ଦାସ ସୁନା ।

ପେସାରେ ମିସ୍ତ୍ରୀ ଭାବେ କାମ କରୁଥିବା ଜୟ ଦାସଙ୍କୁ ଆକ୍ରାନ୍ତ କରିଛି କର୍କଟ ରୋଗ । ଆଉ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଏବେ ଅର୍ଥ ସାଜିଛି ବାଧକ । ଚିକିତ୍ସା ପାଇଁ ଘର ବାଡି ସବୁ ବିକ୍ରି କରି ସାରିଲେଣି । ମାତ୍ର ଏବେ ଆଗକୁ ଚିକିତ୍ସା ପାଇଁ ଆଉ ଅର୍ଥ ନାହିଁ । ସ୍ୱାମୀଙ୍କ ଜୟଦାସଙ୍କ ଚିକିତ୍ସା ପାଇଁ ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଜିଲ୍ଲାଠାରୁ ଆରମ୍ଭ କରି ରାଜ୍ୟ ବାହାରେ ଥିବା କ୍ୟାନସର ହସ୍ପିଟାଲରେ ବୁଲାଇ ବୁଲାଇ ସବୁ ଅର୍ଥ ସାରିସାରିଲେଣି ।

ଘରର ଏକ ମାତ୍ର ରୋଜଗାର କରୁଥିବା ଲୋକଟି ରୋଗଗ୍ରସ୍ତ ହୋଇ ପଡି ରହିଛନ୍ତି । ସେପଟେ ସ୍ତ୍ରୀ ଓ ଦୁଇ ପୁଅ ଝିଅଙ୍କୁ ଚଳିବା ବେଶ କଷ୍ଟକର ହୋଇ ପଡିଛି । ଏପରି ସମୟରେ ଜୟଦାସଙ୍କ ଚିକିତ୍ସା ପାଇଁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ସ୍ତ୍ରୀ ଲକ୍ଷ୍ମୀପ୍ରିୟା ଓ ପରିବାର ଲୋକେ ଗୁହାରି କରିଛନ୍ତି । ସରକାର ଗରିବ ସୀମାରେଖା ତଳେ ଥିବା ପରିବାରକୁ ମାଗଣା ସ୍ୱାସ୍ଥ୍ୟସେବା ଯୋଗାଇ ଦେବାପାଇଁ ଯୋଜନା ଉପରେ ଯୋଜନା କରୁଛନ୍ତି । ମାତ୍ର ଏହି ଯୋଜନା ସବୁ ସାଧାରଣଲୋକଙ୍କ ପାଖରେ ପହଁଚି ପାରୁ ନଥିବା ଅଭିଯୋଗ ହୋଇଛି ।