ଦିଲ୍ଲୀ ଦରବାରରେ ଦୁଲୁକିବ ‘ବଜାଶାଲ’: ଢୋଲ, ନିଶାନ, ତାସାରେ ଝୁମିବ ରାଜପଥ; ଜାନୁଆରି ୨୬ ପାରେଡରେ ବିଶ୍ୱ ଦେଖିବ କଳାହାଣ୍ଡିର ଲୋକନୃତ୍ୟ

କଳାକାରଙ୍କ ଜୋରଦାର ପ୍ରସ୍ତୁତି

62

କନକ ବ୍ୟୁରୋ: କଳାହାଣ୍ଡିର ଲୋକ ନୃତ୍ୟ ବଜାଶାଲରେ ଦୁଲୁକିବ ଦିଲ୍ଲୀ ଦରବାର । ଢୋଲ, ନିଶାନ, ତାସାର ମଧୁର ଧ୍ୱନିର ମୋହିତ ହେବ ରାଜପଥ । ଜାନୁଆରୀ ୨୬ରେ ଦିଲ୍ଲୀରୁ ସାରା ବିଶ୍ୱ ଦେଖିବ ବଜାଶାଲ ନାଚ ଓ ଗୀତର ଆସର । ଏଥିପାଇଁ କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା କଳାକାର ଜୋରଦାର କରିଛନ୍ତି ସେମାନଙ୍କ ପ୍ରସ୍ତୁତି ।

କଳାହାଣ୍ଡିର ଲୋକନୃତ୍ୟ ଦୁଲୁକିବ ଦିଲ୍ଲୀ ଦରବାର । ଜାନୁଆରୀ ୨୬ରେ ଦିଲ୍ଲୀ ଦାଣ୍ଡରୁ ସାରା ବିଶ୍ୱ ଦେଖିବ ବଜାଶାଲ ନାଚ ଓ ଗୀତର ସ୍ୱତନ୍ତ୍ରତା । ଆଉ ଗର୍ବରେ ଫୁଲି ଉଠିବ ସବୁ ଓଡିଆଙ୍କ ଛାତି । ତେବେ ନୃତ୍ୟ ପରିବେଶଣର ୧୭ ଦିନ ପୂର୍ବରୁ ଦିଲ୍ଲୀ ଦୁଲୁକୁଛି ବଜାଶାଲ ନୃତ୍ୟରେ । ଚାଲିଛି ଜୋରସୋର ରିହରର୍ସଲ । ଢୋଲ. ନିସାନ, ତାସାର ତାଳେ ତାଳେ ସୁନ୍ଦର ଭାବରେ ନୃତ୍ୟ ପରିବେଷଣ କରୁଛନ୍ତି କଳାହାଣ୍ଡିରୁ ଦିଲ୍ଲୀ ଯାଇଥିବା ନୃତ୍ୟଶିଳ୍ପୀ । ଘଂଟା ଘଂଟା ଧରି ପ୍ରସ୍ତୁତି କରୁଥିବା ଏହି ନୃତ୍ୟଶିଳ୍ପୀମାନେ ସାଧାରଣତନ୍ତ୍ର ଦିବସରେ ଦିଲ୍ଲୀରେ ଓଡିଶାକୁ ଗୌରବାନ୍ୱିତ କରିବେ ।

ଅନ୍ୟବର୍ଷରେ ୧୫୦ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରୁଥିବା ବେଳେ ଚଳିତବର୍ଷ ଉତ୍ସାହ, ଉଦ୍ଦିପନା ଭିତରେ ୮୦ ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ । କରୋନା କଟକଣା କାରଣରୁ ନୃତ୍ୟଶିଳ୍ପୀଙ୍କ ସଂଖ୍ୟା କମାଇଦିଆଯାଇଛି । ନୃତ୍ୟ ଗୀତର ଶୈଳି, ପୋଷାକ, ଶୃଙ୍ଖଳା, ସ୍ୱତନ୍ତ୍ରତା ଦେଖି ନୃତ୍ୟଶିଳ୍ପୀମାନଙ୍କୁ ମନୋନିତ କରାଯାଇଛି । ଓଡିଶାର ୭ଟି ଜୋନର ୨୭ଟି ନୃତ୍ୟ ମଧ୍ୟରୁ କଳାହାଣ୍ଡିର ବଜାଶାଲ ନୃତ୍ୟ ମନୋନିତ ହୋଇଛି । ସାଧାରଣ ଭାବେ ନୃତ୍ୟଶିଳ୍ପୀ ମନୋନିତ ପ୍ରକ୍ରିୟା ଅତି କଠିନ ହୋଇଥାଏ, ବିଭିନ୍ନ ପର୍ଯ୍ୟାୟ ଦେଇ ଶିଳ୍ପୀମାନେ ଗତି କରିଥାନ୍ତି । ଶେଷ ମନୋନିତ ପ୍ରକ୍ରିୟା କୋଲକାତାରେ ଅନୁଷ୍ଠିତ ହୋଇଥାଏ ।