ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବେ କି ଦିବ୍ୟଶଙ୍କର? ନା ଭିନ୍ନ ମଞ୍ଚରେ ବସିପାରନ୍ତି ମନ୍ତ୍ରୀ; ମନ୍ତ୍ରୀଙ୍କୁ ନେଇ ବିଜେଡି କ’ଣ ଦେବ ବାର୍ତ୍ତା, ତାକୁ ନେଇ ଚର୍ଚ୍ଚା

115

କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ କଳାହାଣ୍ଡି ଗସ୍ତରେ ଯିବାକୁ ଥିବାରୁ ସମସ୍ତଙ୍କ ନଜର ଏବେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ଉପରେ ରହିଛି । ମନ୍ତ୍ରୀ ଦିବ୍ୟଶଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସିବେ, ନା ଭିନ୍ନ ମଞ୍ଚରେ ବସିବେ ତାକୁ ନେଇ ଜୋରସୋରରେ ଚର୍ଚ୍ଚା ଚାଲିଛି । କାରଣ ମମିତା ମେହେର ହତ୍ୟାକାଣ୍ଡ ପରେ ବାରିପଦା ରେ ମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀ ଦିବ୍ୟଶଙ୍କର ମଞ୍ଚରେ ବସିବାର କାର୍ଯ୍ୟକ୍ରମ ରହିଥିଲେ ବି ଶେଷ ମୁହୂର୍ତ୍ତରେ ତାଙ୍କ ନାଁକୁ କାଟି ଦିଆଯାଇଥିବା ଚର୍ଚ୍ଚା ହେଉଥିଲା ।

ହେଲେ, କିଛି ଦିନ ହେବ ଦିବ୍ୟଶଙ୍କର କଳାହାଣ୍ଡିରେ ରହି ନବୀନଙ୍କ ଗସ୍ତ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତିର ତଦାରଖ କରୁଥିବା ଦେଖିବାକୁ ମିଳିଥିଲା । ଏଥିସହ ମିଶ୍ରଣ ପର୍ବ ଓ ଜନସମାବେଶ କରି ସେ ଏବେ ବି ତାଙ୍କ ନିର୍ବାଚନମଣ୍ଡଳୀର ଲୋକପ୍ରିିୟ ନେତା ବୋଲି ପ୍ରମାଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି । ତେବେ ମନ୍ତ୍ରୀଙ୍କୁ ନେଇ ବିଜେଡି କଣ ଦେବ ବାର୍ତ୍ତା, ତାଉପରେ ସମସ୍ତଙ୍କ ନଜର ରହିଛି ।

ସେପଟେ, ଭବାନୀପାଟଣାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବାଣ୍ଟିବେ ମୁଖ୍ୟମନ୍ତ୍ରୀ । ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡକୁ ନେଇ ଗତ କିଛି ଦିନ ହେଲା କଳାହାଣ୍ଡିରେ ସରକାରଙ୍କ ବିରୋଧରେ ବିରୋଧୀମାନେ ଜୋରଦାର ଆନ୍ଦୋଳନ ଚଳାଇଛନ୍ତି । ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ଅଡି ରହିଛନ୍ତି ବିରୋଧୀ । ମନ୍ତ୍ରୀଙ୍କୁ ବହିଷ୍କାର କରୁନଥିବାରୁ ରାଜ୍ୟ ସରକାର ଓ ମୁଖ୍ୟମନ୍ତ୍ରୀ ବିରୋଧୀଙ୍କ ଟାର୍ଗେଟକୁ ଆସିଛନ୍ତି ।

ତଥାପି ଏସବୁ ବିବାଦ ଭିତରେ ରାଜ୍ୟ ସରକାର ତାଙ୍କର କାର୍ଯ୍ୟକ୍ରମ ଜାରି ରଖିଛନ୍ତି । ବାରିପଦା, କୁଚିଣ୍ଡା ପରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିବାକୁ ଆଜି କଳାହାଣ୍ଡି ଗସ୍ତ କରିବେ ନବୀନ । ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବାଂଟିବା ସହ ମହିଳାଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିବ ବିଜେଡି । ଏହି ସମାବେଶକୁ ସଫଳ କରିବା ପାଇଁ କଳାହାଣ୍ଡିରେ ୧୩ ମନ୍ତ୍ରୀ ଡେରା ପକାଇଥିବା ଜଣାପଡିଛି ।