କନକ ବ୍ୟୁରୋ : ତାତିରୁ ମିଳିଲା ତ୍ରାହି। ସପ୍ତାହ ହେଲା ୩୯ ଡିଗ୍ରି ଉପରେ ରହୁଥିବା ରାଜ୍ୟର ଅର୍ଧାଧିକ ସହରର ପାରଦ ଆଜି ହ୍ରାସ ପାଇଛି। କେବଳ ମାଲକାନଗିରି ଓ ସୁନ୍ଦରଗଡ଼କୁ ଛାଡ଼ି ଅନ୍ୟ ସବୁଠି ପାରଦ ୪୦ ଡିଗ୍ରି ତଳକୁ ଖସି ଆସିଛି। ଦୁଇ ଦିନ ହେଲା ତତଲା ସହର ଭାବେ ପରିଗଣିତ ହେଉଥିବା ଭୁବନେଶ୍ବର ତାପମାତ୍ରା ୩ ଡିଗ୍ରି କମିଛି। ଗତ ଦୁଇ ଦିନ ମଧ୍ୟରେ ୫ ଡିଗ୍ରି କମିଥିବାରୁ ସହରବାସୀ ଟିକିଏ ଆଶ୍ବସ୍ତି ଅନୁଭବ କରିଛନ୍ତି।
ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ ଦୁଇଦିନ ଲାଗି କାଳବୈଶାଖୀ ସମ୍ପର୍କିତ ସତର୍କ ସୂଚନା ଜାରି ହୋଇଥିଲା। ତେବେ ଉତ୍ତର ଓଡ଼ିଶାରେ କିଛି ସ୍ଥାନକୁ ଛାଡ଼ି ଦେଲେ କୌଣସି ସ୍ଥାନରେ କାଳବୈଶାଖୀ ହୋଇଥିବା ଖବର ମିଳିନାହିଁ। କେବଳ ବାରିପଦାରେ ୨୪.୮ ମିମି ବର୍ଷା ହୋଇଥିଲା। ଶୁକ୍ରବାର ଆଭ୍ୟନ୍ତରୀଣ ଓଡ଼ିଶା, ଉତ୍ତର ଉପକୂଳ ଓଡ଼ିଶା ଓ ଦକ୍ଷିଣ ଉପକୂଳ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ସହ କାଳବୈଶାଖୀ ହୋଇପାରେ। ଶନିବାର ସକାଳ ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଢ଼େଙ୍କାନାଳ, କଟକ, ଜଗତ୍ସିଂହପୁର, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ହୋଇପାରେ।
ବର୍ଷା ସହ ବଜ୍ରପାତର ସମ୍ଭାବନା ଥିବାରୁ ଲୋକଙ୍କ ଉପରେ ପ୍ରଭାବ ପଡ଼ିପାରେ। କ୍ଷୟକ୍ଷତି ହେବାର ବି ଆଶଙ୍କା ରହିଛି। ତେବେ ଏହି ସମୟରେ କନ୍ଧମାଳ ଓ ଅନୁଗୁଳ ଜିଲ୍ଲାରେ ୩୦ରୁ ୪୦ କିମି ବେଗରେ ପବନ ହେବ। ତେଣୁ ସତର୍କତା ଅବଲମ୍ବନ କରିବାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ପାଣିପାଗ ବିଶେଷଜ୍ଞଙ୍କ ଆକଳନ ହେଉଛି ଯେ ଶୁକ୍ରବାର ରାଜ୍ୟର ଅଧିକାଂଶ ସ୍ଥାନରେ ଝଡ଼ବର୍ଷା ହେବ। ସବୁଠି ତାପମାତ୍ରା ଆହୁରି ୩ରୁ ୪ ଡିଗ୍ରି ହ୍ରାସ ପାଇବ। ଉପକୂଳ ଓଡ଼ିଶା ଅଧିକ ପ୍ରଭାବିତ ହୋଇପାରେ। ତେବେ ୨୦ ତାରିଖଠାରୁ ତାପମାତ୍ରା କ୍ରମଶଃ ବଢ଼ିବ। ପଶ୍ଚିମା ଗରମ ପବନ ସିଧାସଳଖ ରାଜ୍ୟକୁ ପ୍ରବାହିତ ହେବାକୁ ଥିବାରୁ ପ୍ରବଳ ଗରମ ଅନୁଭୂତ ହେବ। ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା କ୍ରମଶଃ ବଢ଼ିବ। ୨୫ ତାରିଖଠାରୁ ତାପମାତ୍ରା ପୁଣିଥରେ ରେକର୍ଡ ଭାଙ୍ଗିବ। ଅଧିକାଂଶ ସହରରେ ୪୨ ଡିଗ୍ରି ଟପିଯିବାର ଆଶଙ୍କା ରହିଛି।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/rain-2.jpg)