କାହିଁକି ହୁଏ କାଳବୈଶାଖୀ ! ୨୬ଟି ଜିଲ୍ଲାରେ ଝଡ଼ତୋଫାନ ସହ ବଜ୍ରପାତ, ସର୍ତକ କଲା ଆଞ୍ଚଳିକ ପାଣିପାଗ କେନ୍ଦ୍ର

65

କନକ ବ୍ୟୁରୋ : କାଳ ହେଉଛି କାଳବୈଶାଖୀ । ସାରା ଦେଶରେ ପ୍ରଳୟଙ୍କରୀ ରୂପ ନେଇ ୭୦ରୁ ଅଧିକ ଜୀବନ ନେଲାଣି । କେବଳ ଉତରପ୍ରଦେଶରେ ୪୦ ଜଣଙ୍କ ଜୀବନ ଗଲାଣି । ଓଡିଶାରେ ମଧ୍ୟ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିଛି । ଗତ କିଛି ଦିନ ଧରି ଲଗାତର ଭାବେ ଝଡତୋଫାନ ସହ ବଜ୍ରପାତ ଘଟୁଛି । ଏହାରିଭିତରେ ରାଜ୍ୟର ୨୬ଟି ଜିଲ୍ଲାରେ କାଳବୈଶାଖୀ ନେଇ ସତର୍କ କରାଇଦେଇଛି ପାଣିପାଗ ବିଭାଗ । ତେବେ ଏଥର କାହିଁକି ଏତେମାତ୍ରାରେ କାଳବୈଶାଖୀ ହେଉଛି?

କାଳବୈଶାଖୀର କରାଳ ରୂପ । ପ୍ରବଳ ବେଗରେ ଝଡତୋଫାନ, ତାସାଙ୍ଗକୁ ତୁହାକୁ ତୁହା ବର୍ଷା । ଆଉ ଏହାରିଭିତରେ ପ୍ରଳୟଙ୍କରୀ ବଜ୍ରପାତ । ସାରା ରାଜ୍ୟରେ ତାଣ୍ଡବ ରଚୁଛି ଏହି ପ୍ରାକୃତିକ ବିପର୍ଯ୍ୟୟ । ସମୟ ପ୍ରାୟ ସକାଳ ୧୧ଟା । ଆଖି ପିଛୁଳାକେ ମାଡି ଆସିଲା କଳାହାଣ୍ଡିଆ ମେଘ । ଆଉ ତାସହ ୫୦ରୁ ୬୦ କିମି ବେଗରେ ପବନ । ଆକାଶରେ ଢୁ ଢୁ ହୋଇ ବଜ୍ରପାତର ଝଟକା । ଯିଏ ଯେଉଁଠି ଥିଲେ ଅଟକିଗଲେ । ତିନି ଘଂଟା ଧରି ଚାଲିଲା ବର୍ଷା । ଆଉ ଏହି ତିନି ଘଣ୍ଟା ପୂରା ରାଜ୍ୟରେ ଆତଙ୍କ ସୃଷ୍ଟି କରିଥିଲା ।

ଓଡିଶା ସମେତ ଉତର ଭାରତରେ ତାଣ୍ଡବ ରଚିଛି ବଜ୍ରପାତ ଓ ବର୍ଷା । ଉତର ପ୍ରଦେଶ ଓ ଦିଲ୍ଲୀ ସମେତ ୫ଟି ରାଜ୍ୟରେ ଏଯାଏଁ ୭୦ରୁ ଅଧିକ ଜୀବନ ଗଲାଣି । କେବଳ ଉତର ପ୍ରଦେଶରେ ମୃତ୍ୟୁସଂଖ୍ୟା ୪୦ରୁ ଅଧିକ । ଶହ ଶହ ଲୋକ ଆହତ ହୋଇଛନ୍ତି । କେଉଁଠି ଗାଡି ଉପରେ ଗଛ ପଡିଛି ତ ଆଉ କେଉଁଠି ଘର ଉପରେ ମାଡି ବସିଛି ବିରାଟକାୟ ଗଛ । ଖରାପ ପାଗ ଯୋଗୁଁ ୭୦ ରୁ ଅଧିକ ବିମାନ ଉଡାଣ ବାତିଲ କରାଯାଇଛି ।

ତେବେ ଚଳିତ ଥର ବାରମ୍ବାର କାହିିଁକି ହେଉଛି କାଳବୈଶାଖୀ । ଏହା ପଛର କାରଣ କଣ । ଆଭ୍ୟନ୍ତରୀଣ ଓଡିଶାରେ ପ୍ରବଳ ଗରମ ଆଉ ଉପକୂଳରେ ୪୦ କିଲୋମିଟର ବେଗରେ ପବନ । ଏପଟେ ଜଳୀୟବାଷ୍ପର ପରିମାଣ ଅଧିକ ଅନ୍ୟପଟରୁ ଶୁଖିଲା ତଥା ଗରମ ପବନ । ଉଭୟର ମିଶ୍ରଣରେ ସୃଷ୍ଟି ହେଉଛି କାଳବୈଶାଖୀ । ଏଭଳି ସ୍ଥିତିରେ ୨୬ ଜିଲ୍ଲାରେ ଝଡତୋଫାନ ନେଇ ସତର୍କ କରାଇଦେଇଛି ପାଣିପାଗ ବିଭାଗ ।