ଡ଼ରାଇଲା କାଳବୈଶାଖୀ ! ବଡ଼ ଦାଣ୍ଡରେ ବନ୍ୟାର ଭ୍ରମ, ଭୁବନେଶ୍ୱର ଷ୍ଟେସନରେ ଗଳିଲା ପାଣି

34

କନକ ବ୍ୟୁରୋ : ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ତାର କରାଳ ରୂପ ଦେଖାଇଛି । ବର୍ଷାରେ ବେହାଲ ହୋଇଛି ଜନଜୀବନ । ଝଡତୋଫାନ ଓ ଘଡଘଡି ସହ ପ୍ରାୟ ତିନି ଘଂଟା ଧରି ବର୍ଷା ହୋଇଛି । କେଉଁଠି ଘର ଉପରେ ଗଛ ଉପୁଡି ପଡିଛି ତ ଆଉ କେଉଁଠି ବିଦ୍ୟୁତ୍ ଖୁଣ୍ଟ । ବିମାନ ଓ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଅନେକ ସ୍ଥାନରେ ଜମି ରହିଛି ପାଣି । ରାଜ୍ୟର ଅଧିକାଂଶ ଅଂଚଳରେ ଦେଖିବାକୁ ମିଳିଛି କାଳବୈଶାଖୀର କରାଳ ରୂପ ।

ସକାଳୁ ସକାଳୁ ଆକାଶରେ ଛାଇଯାଇଥିଲା କଳାହାଣ୍ଡିଆ ମେଘ । ଚାରିଆଡେ ଅନ୍ଧାର । ଢୁ ଢୁ ହୋଇ ବିଜୁଳିର ଗର୍ଜନ । ତାଭିତରେ ପ୍ରବଳ ବେଗରେ ଝଡ ତୋଫାନ । ଚାହୁଁ ଚାହୁଁ ଆରମ୍ଭ ହୋଇଗଲା ତୁହାକୁ ତୁହା ବର୍ଷା । ତିନି ଘଣ୍ଟା ଧରି ଅନବରତ ବର୍ଷିଚାଲିଲା ।

– ବର୍ଷାଦିନ ଭଳି ଚାରିଆଡେ ବର୍ଷା ହିଁ ବର୍ଷା । ରାସ୍ତା ଘାଟରେ ପାଣିର ସୁଅ । କାହାର ଘରେ ପାଣି ପଶିଯାଇଥିଲା ତ ଆଉ କେଉଁଠି ଆଣ୍ଠୁଏ ଉଚ୍ଚର ପାଣି । ବେହାଲ ହୋଇଯାଇଥିଲା ଜନଜୀବନ ।

– ବର୍ଷା ଛାଡିଥିଲା ହେଲେ କାଳବୈଶାଖୀ ଛାଡିଯାଇଥିଲା ତାର କରାଳ ରୂପ । ଘର ଉପରେ ମାଡି ବସିଥିଲା ଗଛ । ଚାଳ ଛପର ଉଡିଯାଇଥିଲା । ରାସ୍ତା ଉପରେ ଉପୁଡି ପଡିଥିଲା ବଡ ବଡ ଗଛ । ବିଦ୍ୟୁତ୍ ଖୁଣ୍ଟ ବି ପ୍ରଭାବିତ ହୋଇଥିଲା ଝଡବର୍ଷାରେ ।

– କାଳବୈଶାଖୀ ପ୍ରଭାବରେ ସବୁଠୁ ଅଧିକ ପ୍ରଭାବିତ ହୋଇଛି ଟ୍ରେନ ସେବା । ଲିଙ୍ଗରାଜ ଷ୍ଟେସନ ନିକଟରେ ଟ୍ରେନ୍ ଉପରେ ଛିଡିପଡିଥିଲା ତାର । ତେବେ ବିଦ୍ୟୁତ ନଥିବାରୁ ଅଳ୍ପକେ ବର୍ତିଯାଇଥିଲେ ଯାତ୍ରୀ । ସେହିପରି ଅନେକ ଷ୍ଟେସନରେ ଅଟକିରହିଥିଲା ଟ୍ରେନ୍ । କିଛି ଟ୍ରେନକୁ ବାତିଲ କରାଯାଇଥିବାବେଳେ ଆଉ କିଛି ଟ୍ରେନ୍ର ଗତିପଥ ବଦଳାଯାଇଥିଲା ।

– ବର୍ଷା ଓ ଖରାପ ପାଗ ଯୋଗୁଁ ଅବତରଣ କରିପାରିନଥିଲା ଦିଲ୍ଲୀରୁ ଭୁବନେଶ୍ୱର ଆସୁଥିବା ଭିସ୍ତାରା ବିମାନ । ଫଳରେ ବିମାନକୁ କୋଲକାତା ପଠାଯାଇଥିଲା ।

ପୂର୍ବବର୍ଷ ଅପେକ୍ଷା ଏବର୍ଷ କାଳବୈଶାଖୀର ପ୍ରଭାବ ଅଧିକ ରହିଛି । ବୁଧବାର ରାଜ୍ୟର ଅଧିକାଂଶ ଅଂଚଳରେ ବର୍ଷା ହୋଇଛି । ପାଣିପାଗ ବିଭାଗ ଆକଳନ କରିଛି, ଏଭଳି ସ୍ଥିତି ଆହୁରି ଦୁଇ ତିନି ଦିନ ରହିବ । ତେଣୁ ସାଧାରଣ ଲୋକଙ୍କୁ ସର୍ତକ ରହିବାକୁ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।