କନକ ବ୍ୟୁରୋ : କାକଟପୁରରେ ଦେଖିବାକୁ ମିଳିବ କାଣ୍ଟେ କି ଟକ୍କର । ଜଗତସିଂହପୁର ଲୋକସଭା ଅର୍ନ୍ତଗତ ତଥା ପୁରୀ ଜିଲ୍ଲାର ଏକମାତ୍ର ସଂରକ୍ଷିତ ଆସନ କାକଟପୁରକୁ ନେଇ ଅଙ୍କ କଷୁଛନ୍ତି ରାଜ୍ୟର ୩ ପ୍ରମୁଖ ଦଳ । ସବୁଠୁ ବଡ କଥା ହେଉଛି ଗତ ୪ଟି ନିର୍ବାଚନରେ ଏଠାରେ ବିରୋଧୀ ମାତ୍ ଦେଇ ବିଜେଡି ଏହାକୁ ନିଜର ଗଡ ଭାବେ ତୋଳିଛି । ତେବେ ଚଳିତଥର ତିନି ରାଜନୈତିକ ଦଳରୁ ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଚୟନ ସବୁଠୁ ବଡ ଫ୍ୟାକ୍ଟର ଭାବେ ଉଭା ହୋଇଛି ।
କାକଟପୁରରେ ବିଜେଡି ଗଠନ ପରଠାରୁ ଲଗାତାର ବିଜୟ ଧ୍ୱଜା ଉଡାଇ ଆସୁଛି । ତେଣୁ ଆଗାମୀ ନିର୍ବାଚନରେ ମଧ୍ୟ ଦଳ ପୁଣିଥରେ ଏହି ବିଜୟଧାରା ଜାରି ରଖିବାକୁ ଉଦ୍ୟମ ଆରମ୍ଭ କରିଛି । ଗତ ଦୁଇଟି ନିର୍ବାଚନରେ ବିଜେଡି ଏଠାରେ ପ୍ରାର୍ଥୀ ବଦଳାଇ ସଫଳତା ପାଇଥିବା ବେଳେ ଚଳିତ ଥର ମଧ୍ୟ ସେହିଭଳି କିଛି ରଣନୀତି ଦଳ ଆପଣାଇପାରେ ବୋଲି ଚର୍ଚ୍ଚା ହେଉଛି । ପୂର୍ବରୁ ଅସଂରକ୍ଷିତ ଥିବା ଏହି ଆସନରୁ ସୁର ନାୟକ ବିଜୟୀ ହୋଇ ଆସୁଥିଲେ। ୨୦୦୯ରେ ନିର୍ବାଚନମଣ୍ଡଳୀ ପୁର୍ନଗଠନ ହେବା ପରେ ଏହି ଆସନ ଅନୁସୂଚିତ ଜାତିଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିଲା।
କାକଟପୁର ବ୍ଲକର ୧୬ ପଞ୍ଚାୟତ, ଅସ୍ତରଙ୍ଗ ବ୍ଲକର ୧୫ ଓ ଗୋପ ବ୍ଲକର ୧୪ ପଞ୍ଚାୟତ ଓ କୋଣାର୍କ ଏନଏସିକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରୁ ଗତ ୨୦୦୯ରେ ବିଜେଡି ପ୍ରାର୍ଥୀ ରବି ମଲ୍ଲିକ ବିଜୟୀ ହୋଇଥିଲେ। ତେବେ ୨୦୧୪ରେ କିନ୍ତୁ ଏଠାରେ ସ୍ଥିତି ବଦଳି ଯାଇଥିଲା। ଦଳ ରବିଙ୍କୁ ଭରସାକୁ ନେଇ ପାରିନଥିଲା। ଫଳରେ ଯୁବ ନେତା ସୁରେନ୍ଦ୍ର ସେଠୀଙ୍କୁ ବିଜେଡି ଦଳୀୟ ଟିକଟ ଦେଇଥିଲା।
ସୁରେନ୍ଦ୍ର ମଧ୍ୟ ବିଜୟୀ ହେବା ସହ ବିଜେଡିର ବିଜୟ ପୃଷ୍ଠାରେ ଆଉ ଏକ ଫର୍ଦ୍ଦ ଯୋଡି ଦେଇଥିଲେ । କଂଗ୍ରେସ ପ୍ରାର୍ଥୀଙ୍କୁ ୪୦ ହଜାରରୁ ଅଧିକ ଭୋଟରେ ହରାଇ ବିଜେଡି ନିଜର ଗଡ ରକ୍ଷା କରିଥିଲା । କିନ୍ତୁ ଚଳିତଥର ବିଜେଡିର ପ୍ରାର୍ଥୀଙ୍କୁ ନେଇ ଚିତ୍ର ଅସ୍ପଷ୍ଟ ରହିଛି । ତେବେ ବିଜେଡି ବିଧାୟକ ସୁରେନ୍ଦ୍ର ସେଠୀ ପୁଣିଥରେ ନିର୍ବାଚନ ଲଢିବାକୁ ଆଶା ବାନ୍ଧି ବସିଥିବା ବେଳେ ଆଶାୟୀ ପ୍ରାର୍ଥୀଙ୍କ ଲମ୍ବା ତାଲିକା ଏବେ ସୁରେନ୍ଦ୍ରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ପୁଣିଥରେ ପ୍ରାର୍ଥୀ ହେବା ନେଇ ତାଙ୍କୁ ଗ୍ରୀନ୍ ସିଗନାଲ ମିଳିଥିବା ସୁରେନ୍ଦ୍ର କହି ବୁଲୁଥିବା ବେଳେ ବାସ୍ତବରେ କାହାକୁ କାକଟପୁରରେ ବିଜେଡି ଟିକେଟ ଦେବ ତାହା ଏବେ ସସପେନ୍ସରେ ରହିଛି ।
ଏହାଛଡା ନବୀନଙ୍କ ୩୩ ପ୍ରତିଶତ ମହିଳା ସଂରକ୍ଷଣ କୋଟାରେ ବିଜେଡି ଏଠାରୁ କୌଣସି ମହିଳାଙ୍କୁ ପ୍ରାର୍ଥୀ କରିପାରେ ଚର୍ଚ୍ଚା ଆରମ୍ଭ ହୋଇଛି । ଯଦି ଏଭଳି ହୁଏ ତେବେ ନିମାପଡାର ପୂର୍ବତନ ବିଧାୟକ ବଂଶୀଧର ସେଠୀଙ୍କ ଝିଅ ପୁଷ୍ପାଞ୍ଜଳି ସେଠୀ ମଧ୍ୟ ପ୍ରମୁଖ ମହିଳା ଦାବିଦାର ରହିଛନ୍ତି।
ଏମାନଙ୍କ ବ୍ୟତୀତ ସୂର୍ୟ୍ୟକାନ୍ତ ଦାସ ନାମକ ଜଣେ ସରକାରୀ କର୍ମଚାରୀ ଗତ କିଛି ଦିନ ହେବ ସଂଗଠନ କରୁଛନ୍ତି। ସେହିଭଳି ଗତ ୨୦୦୯ର ବିଧାୟକ ଥିବା ରବି ମଲ୍ଲିକ ମଧ୍ୟ ପୁଣିଥରେ ଦଳୀୟ ଟିକଟ ଆଶାରେ ରହିଛନ୍ତି। ସେହିଭଳି ଅନ୍ୟପକ୍ଷରେ ସୁରେନ୍ଦ୍ର ନାୟକଙ୍କ ସମର୍ଥକ ଭାବେ ଜଣାଶୁଣା ଅସ୍ତରଙ୍ଗ ବ୍ଲକର ପୂର୍ବତନ ଅଧ୍ୟକ୍ଷ ଚୈତନ୍ୟ ସେଠୀ, ବିଜେଡି ଯୁବନେତା ଅଭୟ କୁମାର ସେଠୀ, ପୂର୍ବତନ ମନ୍ତ୍ରୀ ଗୋବିନ୍ଦ ସେଠୀଙ୍କ ପୁଅ ଅଶୋକ କୁମାର ସେଠୀ ମଧ୍ୟ ବିଜେଡିରୁ ଆଶାୟୀ ରହିଛନ୍ତି।
ବିଜେଡିର ମହିଳା କାର୍ଡ ରଣନୀତିକୁ ଦୃଷ୍ଟିରେ ରଖି ଅନ୍ୟ ବିରୋଧୀ ଦଳମାନେ ମଧ୍ୟ ଏବେ ଠାରୁ ମହିଳା ପ୍ରାର୍ଥୀ ସନ୍ଧାନରେ ରହିଛନ୍ତି। ପୂର୍ବରୁ କଂଗ୍ରେସ ହାତରେ ଏହି ଆସନ ଥିବା ବେଳେ ୧୯ରେ ପୁଣିଥରେ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛି ଦଳ । କଂଗ୍ରେସରୁ ଗତଥର ପ୍ରାର୍ଥୀ ହୋଇଥିବା ରବୀନ୍ଦ୍ର ସେଠୀ ମଧ୍ୟ ଏଥର କଂଗ୍ରେସରୁ ଟିକଟ ଆଶାରେ ରହିଛନ୍ତି। ଶ୍ରୀ ସେଠୀ ଉଭୟ ସାଂସଦ ଓ ବିଧାୟକ ପ୍ରାର୍ଥୀ ହେବାକୁ କଂଗ୍ରେସ ସ୍କ୍ରିନିଂ କମିଟିରେ ଆବେଦନ କରିଛନ୍ତି। ତେବେ ବିକଳ୍ପ ଭାବେ ସେ ତାଙ୍କ ପୁଅ ଦେବୀ ପ୍ରସାଦ ସେଠୀଙ୍କ ପାଇଁ ମଧ୍ୟ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଲଢୁଆ ନେତା ତଥା ଗତ ୨୦୦୯ରେ ୫୮ ହଜାରରୁ ଅଧିକ ଭୋଟ ପାଇଥିବା ବିଶ୍ବଭୂଷଣ ଦାସ ଏଥର ମଧ୍ୟ କଂଗ୍ରେସ ଟିକେଟ ପାଇଁ ଆବେଦନ କରିଛନ୍ତି। ସେହିଭଳି ମତ୍ସ୍ୟଜୀବୀ ସଂପ୍ରଦାୟର ନରେନ୍ଦ୍ର ବେହେରା ଓ କାକଟପୁରର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷା କାମିନୀ ବେହେରାଙ୍କ ନାମ ମଧ୍ୟ କଂଗ୍ରେସ ଆଶାୟୀ ତାଲିକାରେ ରହିଛି।
ଅନ୍ୟପଟେ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢେଇ ହେଉଥିବା ଏହି ଆସନରେ ବିଜେପି ଚଳିତଥର କଡା ଟକ୍କର ଦେବାକୁ ଯାଉଛି । ପରାଜୟର ଖୋଳପାରୁ ବାହାରିପାରିନଥିବା ବିଜେପି ୧୯ ନିର୍ବାଚନ ମୈଦାନରେ ପଦ୍ମ ଫୁଟାଇବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରୁଛି । ଖାସକରି ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀଙ୍କ ଶ୍ୱଶୁର ଘର କାକଟପୁର ଅଞ୍ଚଳରେ ହୋଇଥିବାରୁ ବିଜେପି ଏଥିରୁ ଫାଇଦା ପାଇବ ବୋଲି ଚର୍ଚ୍ଚା ହେଉଛି । ତେବେ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ କନଫ୍ୟୁଜନରେ ରହିଛି । କାରଣ ଦଳରେ ଏକାଧିକ ଆଶାୟୀ ରହିଛନ୍ତି । ବିଜେପିରୁ ଗତଥର ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ବେହେରା ପ୍ରମୁଖ ଦାବିଦାର ଥିବା ବେଳେ ସର୍ବେଶ୍ୱର ମଲ୍ଲିକଙ୍କ ନାଁ ମଧ୍ୟ ଏହି ରେସରେ ସାମ୍ନାକୁ ଆସୁଛି । ଏସବୁ ଭିତରେ ବିଜେଡିର ଗଡ ହୋଇ ରହିଥିବା କାକଟପୁରରେ ପ୍ରଥମ ଥର ପାଇଁ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/03/KAKATAPUR-UP.jpg)