ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ କାକଟପୁର ଫେରିଛନ୍ତି ତିନିରୁ ଅଧିକ ଲୋକ: ଜିଲ୍ଲାପ୍ରଶାସନର ତନାଘନା ଜାରି; ୩ଜଣଙ୍କୁ କରାଗଲାଣି ଠାବ

ସୂଚନା ଦେଲେ ମନ୍ତ୍ରୀ ତୁଷାରକାନ୍ତି ବେହେରା

1,889

କନକ ବ୍ୟୁରୋ: ନିଜାମୁଦ୍ଦିନ ଧାର୍ମିକ ସମାବେଶରୁ ଓଡିଶା ଫେରନ୍ତାଙ୍କୁ ନେଇ କାକଟପୁର, ଯାଜପୁର ଓ କେନ୍ଦ୍ରାପଡାରେ ତନାଘନା । କାକଟପୁରକୁ କିଛି ବ୍ୟକ୍ତି ନିଜାମୁଦ୍ଧିନ ବୈଠକରେ ଯୋଗଦେଇ ଫେରିଥିବା ନେଇ ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଏନେଇ ତନାଘନା ଜାରି ରଖିଛି । ମନ୍ତ୍ରୀ ତୁଷାରକାନ୍ତି ବେହେରା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କିଛି ବ୍ୟକ୍ତିଙ୍କୁ ଠାବ କରାଯାଇଛି ଏବଂ ଅନ୍ୟ କିଛି ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଚେଷ୍ଟା କରାଯାଉଛି । ଏହି ସମାବେଶରେ ଯୋଗ ଦେଇ ଫେରିଥିବା ଜଣେ ବ୍ୟକ୍ତିଙ୍କୁ କେନ୍ଦ୍ରପଡାରେ ଚିହ୍ନଟ କରିଛି ଜିଲ୍ଲା ପ୍ରଶାସନ ।

ତାଙ୍କୁ ଆଇସୋଲେସନରେ ରଖାଯାଇଥିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଜିଲାପାଳ । ଏହାସହିତ ପରିବାର ଲୋକଙ୍କୁ ହୋମ କ୍ୱାରେଂଟିନରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏବଂ ସମ୍ପୃକ୍ତ ବ୍ୟକ୍ତି ଦିଲ୍ଲୀରୁ ଫେରିବା ପରେ କେଉଁଠିକୁ ଯାଇଥିଲେ ଓ କାହାକାହା ସଂସ୍ପର୍ଶରେ ଆସିଥିଲେ ସେନେଇ ଅନୁସନ୍ଧାନ ଜାରି ରହିଛି ବୋଲି ଜିଲ୍ଲାପାଳ କହିଛନ୍ତି । ନିଜାମୁଦ୍ଦିନ ବୈଠକରୁ ଓଡିଶାକୁ କିଛି ବ୍ୟକ୍ତି ଫେରିବା ନେଇ ଖବର ଆସିବା ପରେ ସରକାର ଓ ଜିଲ୍ଲାପ୍ରଶାସନ ତତ୍ପର ହୋଇଉଠିଛନ୍ତି । ସେମାନଙ୍କୁ କେମିତି ଠାବ କରାଯିବ ଓ ପରୀକ୍ଷା କରାଯିବ ସେନେଇ ଉଦ୍ୟମ ଚାଲିଥିବା ଜଣାପଡିଛି ।

ଏପଟେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମାବେଶରେ ଯୋଗ ଦେଇ ଫେରିଥିବା ଓଡିଆଙ୍କୁ ଖୋଜୁଛି ପୋଲିସ । କେଉଁମାନେ ଏହି ସମାବେଶରେ ଯୋଗ ଦେଇ ଓଡିଶା ଫେରିଛନ୍ତି ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ପୋଲିସ ଖୋଜୁଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାର । ଏହା ସହିତ ସେମାନଙ୍କୁ ସଙ୍ଗରୋଧରେ ରଖିବାକୁ ବ୍ୟବସ୍ଥା କରାଯାଉଥିବା ସେ କହିଛନ୍ତି । ଗତ ୨୦ତାରିଖରେ ତବଲିଗ୍-ଇ-ଜମାତ ଧାର୍ମିକ ସମ୍ମିଳନୀରେ ୧୫ ଓଡିଆ ସାମିଲ ହୋଇ ଓଡିଶା ଫେରିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା ।