ଟ୍ରାଫିକ୍ ଚେକିଂ ବେଳେ ବିଗିଡିଗଲେ ବିଧାୟକ । ନୂଆ ନିୟମକୁ ନେଇ ଚିହିଁକିଉଠିଲେ, ସରକାରୀ ଅଫିସରଙ୍କୁ ସପା ବିଧାୟକ ନାହିଦ ଦେଖାଇଲେ ନାଲିଆଖି ।

469

କନକ ବ୍ୟୁରୋ : ସାରା ଦେଶରେ ନୂଆ ଟ୍ରାଫିକ ନିୟମକୁ ଅନେକାଂଶରେ ସମର୍ଥନ କରାଯାଇଥିବା ବେଳେ ବିରୋଧର ସ୍ୱର ମଧ୍ୟ ଦେଖିବାକୁ ମିଳିଛି । ଏପରିକି ଗାଡି ଚାଳକଙ୍କ ମନରେ କୋକୁଆ ଭୟ ଖେଳାଇଦେଇଛି ନୂଆ ନିୟମ । ନିୟମର ଏହି କଡାକଡି ପାଳନ ଭିତରେ ଏମିତି ଏକ ଦୃଶ୍ୟ ସାମନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ଦେଖିଲେ ତ ଏହି ଦୃଶ୍ୟକୁ । ଯେଉଁ ବ୍ୟକ୍ତିଜଣଙ୍କ ରାଜରାସ୍ତାରେ ପୋଲିସ ଅଧିକାରୀ ଏବଂ ସରକାରୀ ଅଫିସରଙ୍କୁ ନାଲି ଆଖି ଦେଖାଉଛନ୍ତି, ସେ ଜଣେ ସାଧାରଣ ବ୍ୟକ୍ତି ନୁହନ୍ତି । ସେ ହେଉଛନ୍ତି ସମାଜବାଦୀ ପାର୍ଟିର ବିଧାୟକ । ଆଉ ତାଙ୍କ ନାଁ ହେଉଛି ନାହିଦ୍ ହାସନ ।

ସୂଚନା ଅନୁଯାୟୀ, ଉତ୍ତରପ୍ରଦେଶର କାଇରାନାଠାରେ ଯେତେବେଳେ ନୂଆ ଟ୍ରାଫିକ୍ ନିୟମକୁ ନେଇ ଜୋରଦାର ଚେକିଂ କରାଯାଉଥିଲା, ସେତେବେଳେ ସେହି ରାସ୍ତା ଦେଇ ଯାଉଥିବା ବିଧାୟକଙ୍କ ଗାଡିକୁ ଅଟକାଇଥିଲେ ଟ୍ରାଫିକ୍ ପୋଲିସ ଓ ସ୍ଥାନୀୟ ଉପ-ଜିଲ୍ଲାପାଳ । ଆଉ ଗାଡିର କାଗଜପତ୍ର ଦେଖାଇବାକୁ ବିଧାୟକଙ୍କୁ କହିଥିଲେ । ହେଲେ ହଠାତ ଚିହିଁକି ଉଠିଥିଲେ ସପା ବିଧାୟକ ନାହିଦ । ନାଲି ଆଖି ଦେଖାଇବା ସହ ସରକାରୀ ଅଧିକାରୀଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । କିଛି ସମୟ ପାଇଁ ରାଜରାସ୍ତାରେ ଗାଡି ଜାମ୍ ହେବା ସହ ବିଧାୟକଙ୍କ ଏମିତି ଗରମ ଦେଖି ସାଧାରଣ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ତେବେ ଏଠି ପ୍ରଶ୍ନ ଉଠୁଛି, ଯେଉଁ ନୂଆ ଟ୍ରାଫିକ୍ ନିୟମ ଲାଗୁ ହୋଇଛି, ତାହା କଣ କେବଳ ସାଧାରଣ ଲୋକଙ୍କ ପାଇଁ । କଣ ଏହି ନିୟମରୁ ଉର୍ଧରେ ବିଧାୟକ । ସାଧାରଣ ଲୋକଙ୍କୁ ଯେଉଁଠି ହଜାର ହଜାର ଫାଇନ୍ କରାଯାଉଛି, ସେଠି ବିଧାୟକ କଣ ନାଲି ଆଖି ଦେଖାଇ ଖସିଯିବେ । ଏହି ବିଚାର ଆପଣଙ୍କର ।