କୋରାପୁଟରେ ଭୁଷୁଡ଼ୁଛି କଂଗ୍ରେସର ଗଡ଼ : ଚନ୍ଦ୍ରଶେଖର ମାଝିଙ୍କ ପରେ ବିଜେଡିରେ ସାମିଲ ହେଲେ କୈଳାଶ କୁଲେସିକା

୨୦୧୪ରୁ ୨୦୧୯ ଯାଏଁ ଲକ୍ଷ୍ମୀପୁରରୁ ଥିଲେ କଂଗ୍ରେସ ବିଧାୟକ; ତାରାଙ୍କ ସହ ହୋଇଥିଲା ମତାନ୍ତର

116

କନକ ବ୍ୟୁରୋ : ଅବିଭକ୍ତ କୋରାପୁଟ ଜିଲ୍ଳାରେ ଭୁଶୁଡୁଛି କଂଗ୍ରେସର ଗଡ । ଚନ୍ଦ୍ର ଶେଖର ମାଝିଙ୍କ ପରେ ବିଜେଡିରେ ଯୋଗ ଦେଲେ କୈଳାଶ ଚନ୍ଦ୍ର କୁଳେସିକା । ତାଙ୍କ ସମର୍ଥକଙ୍କ ସହ ଆଜି ସେ ବିଜେଡି ରାଜ୍ୟ କାର୍ଯ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି । ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଲକ୍ଷ୍ମୀପୁରରେ କଂଗ୍ରେସ ବିଧାୟକ ଥିଲେ କୈଳାଶ । ୨୦୧୯ ନିର୍ବାଚନରେ ୨୨୯ ଖଣ୍ଡ ଭୋଟରେ ବିଜେଡି ପାର୍ଥୀଙ୍କଠୁ ପରାସ୍ତ ହୋଇଥିଲେ । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ବିଜେଡିର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ, ମନ୍ତ୍ରୀ ପଦ୍ମିନୀ ଦିଆନ, କୋରାପୁଟ ଜିଳ୍ଲା ସଭାପତି ଇଶ୍ୱର ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।

ସୂଚନା ମୁତାବକ ପୂର୍ବରୁ କୋଟପାଡର ପୂର୍ବତନ ବିଧାୟକ ଚନ୍ଦ୍ରଶେଖର ମାଝି ଦଳ ଛାଡି ବିଜେଡିରେ ମିଶିଥିବାବେଳେ ଆଜି ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ ଦଳ ଛାଡିବା କଂଗ୍ରେସ ପାଇଁ ଅଶୁଭ ସଙ୍କେତ ପରି ମନେ ହେଉଛି । କିଛିଦିନ ହେଲା କୈଳାଶ-ମୀନାକ୍ଷୀ-ତାରାଙ୍କ ମଧ୍ୟରେ ତୁ ତୁ ମେଁ ମେଁ ଚାଲୁ ରହିଥିଲା । ଏକଥା ନେଇ ପିସିସି ସଭାପତିଙ୍କ ନିକଟରେ ପହଞ୍ଚିବା ଓ ଓଡ଼ିଶା ପ୍ରଭାରୀଙ୍କ ହସ୍ତକ୍ଷେପ ପରେ ସବୁ ତୁଟିଥିଲା । ମୀନାକ୍ଷୀଙ୍କ ନେତୃତ୍ବକୁ ମାନିବାକୁ କୈଳାଶ ରାଜି ନ ଥିବାବେଳେ ଦଳରେ ଅନ୍ତଃଘାତୀ କାର୍ଯ୍ୟ କଥା ସେ ସବୁବେଳେ କହି ଆସୁଥିଲେ । ଆଉ ଆଜି ଶେଷରେ ସେ ହାତ ଛାଡି ଶଙ୍ଖ ଧରିଛନ୍ତି ।