ବିଜେପିରେ ବିଧିବଦ୍ଧ ଭାବେ ସାମିଲ ହେଲେ କୈଳାଶ କୁଲେସିକା । ଟିକେଟ ନ ମିଳିବାରୁ ରାତିରେ ଛାଡିଥିଲେ ବିଜେଡି, ଇସ୍ତଫାପତ୍ରରେ ଲେଖିଲେ ଦଳ ବୁଝି ପାରିଲାନି ମୂଲ୍ୟ ।

189

କନକ ବ୍ୟୁରୋ : ବିଜେଡିରୁ ମିଳିଲାନି ଟିକେଟ୍ । ରାତାରାତି ଦଳ ବଦଳାଇଲେ ନେତା । ବିଜେଡି ଛାଡି ବିଜେପିରେ ମିଶିଛନ୍ତି କୋରାପୁଟ ଲକ୍ଷ୍ମୀପୁରର ପୂର୍ବତନ ବିଧାୟକ କୈଳାଶ କୁଲେସିକା । ରାଜ୍ୟ କାର୍ଯ୍ୟାଳୟରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ଗେରୁଆ ଟୋପି ପିନ୍ଧିଛନ୍ତି କୈଳାଶ କୁଲେସିକା ।

ଗତକାଲି ଲକ୍ଷୀ୍ମପୁର ବିଧାନସଭା ଆସନ ପାଇଁ ବିଜେଡି ପ୍ରଭୁ ଜାନୀଙ୍କୁ ପ୍ରାର୍ଥୀ ଘୋଷଣା କରିବା ପରେ ଦଳରୁ ଇସ୍ତଫା ଦେଇଥିଲେ କୈଳାଶ କୁଲେସିକା । ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ନିଜ ଇସ୍ତଫା ପତ୍ର ପଠାଇଥିଲେ । ଏଥିରେ ସେ ଉଲ୍ଲେଖ କରିଥିଲେ ଯେ, ଦଳ ତାଙ୍କ କଠିନ ପରିଶ୍ରମର ମୂଲ୍ୟ ବୁଝି ପାରିଲା ନାହିଁ । କେବଳ ସେତିକି ନୁହେଁ ରାତାରାତି ବିଜେପିରେ ମଧ୍ୟ ଯୋଗ ଦେଇଥିଲେ । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଓ ବିଜେପି ନେତା ଅରିନ୍ଦମ ରାୟଙ୍କ ଉପସ୍ଥିତିରେ ଦଳରେ ଯୋଗ ଦେଇଥିଲେ । ତେବେ ଆଜି ନିଜ ସମର୍ଥକଙ୍କୁ ନେଇ ଦଳରେ ବିଧିବଦ୍ଧ ଭାବେ ସାମିଲ ହୋଇଛନ୍ତି ।

୨୦୧୪ରେ କୈଳାଶ କଂଗ୍ରେସ ଟିକେଟରେ ଲକ୍ଷ୍ମୀପୁର ବିଧାନସଭା ଆସନରୁ ଜିତି ବିଧାୟକ ହୋଇଥିଲେ । ୨୦୧୯ ନିର୍ବାଚନ ପୂର୍ବରୁ କଂଗ୍ରେସ ଛାଡି ବିଜେଡିରେ ମିଶିଥିଲେ । ବିଜେଡି ଟିିକେଟରେ ଲଢି ମାତ୍ର ୨୫୦ ଭୋଟରେ ହାରି ଯାଇଥିଲେ । ଏବେ କୈଳାଶ ବିଜେଡି ଛାଡି ବିଜେପିରେ ଯୋଗ ଦେବା ପରେ ଲକ୍ଷ୍ମୀପୁର ରାଜନୀତି ରୋଚକ ହେବ ବୋଲି କୁହାଯାଉଛି ।