କନକ ବ୍ୟୁରୋ : ସୋସିଆଲ ମିଡିଆ ଏବେ ଏମିତି ଏକ ପ୍ଲାଟଫର୍ମ ହୋଇଯାଇଛି କି, ଯେ କୌଣସି ସମୟରେ ସେ କାହାକୁ ଭିକାରୀରୁ ରାଜା ତ କାହାକୁ ରାଜାରୁ ଭିକାରୀ ବନେଇ ଦେବାର ଶକ୍ତି ରଖିଛି । ରେଳ ଷ୍ଟେସନରେ ଗୀତଗାଇ ଭିକ୍ଷାବୃତ୍ତି କରୁଥିବା ରାନୁ ମଣ୍ଡଳଙ୍କ ଠାରୁ ଡବ୍ୱୁ ଅଙ୍କଲଙ୍କ ପର୍ଯ୍ୟନ୍ତ ଲୋକଙ୍କୁ ସେଲିବ୍ରେଟି ବନାଇବାରେ ସୋସିଆଲ ମିଡିଆ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏମାନଙ୍କ ବ୍ୟତୀତ ପୁଣି ଜଣେ ଲୋକ ସୋସିଆଲ ମିଡିଆ ସହୟାତରେ ସେଲିବ୍ରେଟି ହୋଇପାରିଛନ୍ତି । ସେ ଅନ୍ୟ କେହି ନୁହଁନ୍ତି , କିଛି ଦିନ ତଳେ କାଚା ବାଦାମ ଗୀତଗାଇ ଲୋକପ୍ରିୟତା ସାଉଣ୍ଟିଥିବା ଭୂବନ ବାଦ୍ୟକାର । କିଛିଦିନ ତଳେ ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ବିଭିନ୍ନ ଗଳିକନ୍ଦିରେ ବୁଲି ବୁଲି ସାଇକେଲରେ ବାଦାମ ବିକୁଥିବା ଭୂବନ ଏବେ କୋଲକତା ନାଇଟ କ୍ଲବରେ ସଂଗୀତ ପରିବେଶଣ କରୁଛନ୍ତି । ଏହା ପଛରେ ରହିଛି କେବଳ ସୋସିଆଲ ମିଡିଆର ହାତ ।

Advertisment

ଭୂବନ ବାଦ୍ୟକାରଙ୍କ ଜୀବନର ଏଭଳି ପରିବର୍ତ୍ତନ କିଛି ସ୍ୱପ୍ନ ଠାରୁ କମ ନୁହେଁ । କୋଲକତାର ହଜାର ହଜାର ଲୋକଙ୍କ ଉପସ୍ଥିତିରେ ଯେତେବେଳେ ଭୂବନ ନାଇଟ୍ କ୍ଲବରେ ପୁରସ୍କୃତ ହୋଇଥିଲେ ସେ କହିଥିଲେ କି ମୁଁ ଏବେ ସେଲିବ୍ରେଟି ହୋଇସାରିଛି । ଚମକୁଥିବା ଜ୍ୟାକେଟ ପିନ୍ଧି ସେ କାଚା ବାଦାମ ଗୀତ ପରିବେଶଣ କରୁଥିବା ବେଳେ ଜଣାପଡୁ ନଥିଲା କି ମାତ୍ର କେଇଟା ଦିନ ପୂର୍ବରୁ ସେ ରାସ୍ତାରେ ବୁଲି ବୁଲି ବାଦାମ ବିକୁଥିଲେ ବୋଲି ।

ଏମିତି ଏକ ସମୟ ଥିଲା ଭୁବନ ନିଜ ପରିବାର ପାଇଁ ଦୁଇଓଳି ଦୁଇମୁଠା ଖାଦ୍ୟ ଯୋଗାଡ କରିବାରେ ଅସମର୍ଥ ଥିଲେ । ନିଜ ପରିବାର ପ୍ରତିପୋଷଣ କରିବାକୁ ସେ ସକାଳ ଠାରୁ ସଞ୍ଜ ପର୍ଯ୍ୟନ୍ତ ଗଳିକନ୍ଦି ବୁଲି ବୁଲି ସାଇକେଲରେ ବାଦାମ ବିକ୍ରି କରୁଥିଲେ । ଏହି ବାଦାମ ବିକ୍ରି କରିବା ବେଳେ ସେ କାଚା ବାଦାମ ନାମରେ ଏକ ଗୀତ ଗାଉଥିଲେ । ହେଲେ କିଛିଦିନ ତଳେ ଭୁବନ ଏହି ଗୀତ ଗାଉଥିବା ବେଳେ ତାକୁ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଦେଇଥିଲେ । ଏହାପରେ ଏହି ଭିଡିଓ ଏତେ ଭାଇରାଲ ହୋଇଗଲା ଯେ ଏବେ ଗୀତ ଗାଇବାକୁ ଭୂବନଙ୍କ ପାଖକୁ ଗୋଟିଏ ପରେ ଗୋଟିଏ ଅଫର ଆସିବାରେ ଲାଗିଛି । ଗତ ସପ୍ତାହରେ ଏକ ମ୍ୟୁଜିକ କମ୍ପାନୀ ତରଫରୁ ଭୁବନଙ୍କୁ ୧.୫ ଲକ୍ଷ ଟଙ୍କା ଅଗ୍ରୀମ ପ୍ରଦାନ କରାଯାଇଛି । କେବଳ ସେତିକି ନୁହେଁ ଭୂବନ ଏବେ ବିଭିନ୍ନ ମଞ୍ଚରେ ସଂଗୀତ ପରିବେଶଣ କରି ଭଲ ଦିପଇସା ରୋଜଗାର କରୁଛନ୍ତି ।